କାକଟପୁର ମଙ୍ଗଳା ମନ୍ଦିର ଓ ପ୍ରାଚୀନଦୀ ଅବ୍ୟବସ୍ଥାକୁ ନେଇ ତାତିଲେ ସେବାୟତ : ମନ୍ଦିର ପରିସରରେ ବିଧାନସଭା ଷ୍ଟାଡିଂ କମିଟି ସଦସ୍ୟଙ୍କୁ ଘେରିଲେ

53

କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ମନ୍ଦିର । ବ୍ୟାପକ ଅନିୟମିତତା ଓ ବିଶୃଙ୍ଖଳା ଯୋଗୁଁ ଉଭୟ ସେବାୟତ ଓ ଭକ୍ତ ଅସନ୍ତୁଷ୍ଟ ଥିବା ଖବର ବାରମ୍ବାର ନଜରକୁ ଆସିବା ପରେ ସରକାରଙ୍କ ଚେତା ପସିଛି । ମଙ୍ଗଳା ମନ୍ଦିର ଓ ପ୍ରାଚୀନଦୀର ସମସ୍ୟାର ଅନୁଧ୍ୟାନ ପାଇଁ କାକଟପୁରରେ ପହଂଚିଥିଲେ ବିଧାନସଭା ଆଇନ୍ ବିଭାଗ ଷ୍ଟାଡିଂ କମିଟି ସଦସ୍ୟ । ଗତକାଲି ଯାଇଥିବା ଟିମଙ୍କୁ ଘେରାଉ କରି ପ୍ରଶ୍ନବାଣରେ ଘାଇଲା କରିଥିଲେ ସେବାୟତ ।

ପୁରୀ ଜିଲ୍ଲା କାକଟପୁରରେ ପୂଜା ପାଆନ୍ତି ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା । ମଙ୍ଗଳା ମନ୍ଦିରଟି ବହୁ ଅବ୍ୟବସ୍ଥା ଭିତରେ ଥିବା ବେଳେ ଅନୁଧ୍ୟାନ ପାଇଁ ପହଂଚିଥିଲେ ବିଧାନସଭା ଷ୍ଟାଡିଂ କମିଟି ଅଧ୍ୟକ୍ଷ ରମେଶ ଚ୍ୟାଉ ପଟ୍ଟନାୟକ ନେତୃତ୍ୱରେ ୪ ଜଣିଆ ଟିମ୍ । ଯେଉଁ ଟିମ୍ ମନ୍ଦିରରେ ପହଂଚିବା କ୍ଷତି ସେମାନଙ୍କୁ ଘେରି ଯାଇଥିଲେ ମଙ୍ଗଳାଙ୍କ ସେବାୟତ । ଦେବତୋର ବିଭାଗର ବୈମାତୃକ ମନଭାବ ଯୋଗୁଁ ମନ୍ଦିର ଓ ପ୍ରାଚୀନଦୀରେ ସୃଷ୍ଟି ହୋଇଥିବା ସମସ୍ୟା ବାବଦରେ ବିଧାନସଭା ଷ୍ଟାଡିଂ କମିଟି ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ ସେବାୟତ ।

କ’ଣ ଥିଲା ସେବାୟତଙ୍କ ପ୍ରଶ୍ନ ?

କାହିଁକି ଖୋଲା ଯାଉନାହିଁ ଦାନ ଅର୍ଥରେ ଭର୍ତ୍ତି ମଙ୍ଗଳାଙ୍କ ହୁଣ୍ଡି?

ଭକ୍ତ ନିରାସରେ ଦାନ ଅର୍ଥ ଫେରାଇ ନେବା ପାଇଁ ଦାୟୀ କିଏ?

କାହିଁକି ଭୋଗ ଓ ଦୀପ ଦୋକାନ ନିଲାମ ଦିଆଯାଇ ନାହିଁ?

ମନ୍ଦିର ଓ ପ୍ରାଚୀନଦୀ କଡରୁ ଅଳିଆ ଆବର୍ଜନା ସଫା ହେଉନାହିଁ କାହିଁକି?

କାହିଁକି ପ୍ରଦୂଷିତ ପୂଣ୍ୟତୋୟା ପ୍ରାଚୀନଦୀ?

ମନ୍ଦିରରେ ସମସ୍ୟା ଅନେକ ଥିବା ବେଳେ ସମାଧାନ ହେଉନି କାହିଁକି?

ବିଧାନସଭା ଷ୍ଟାଡିଂ କମିଟି ସଦସ୍ୟଙ୍କ ସହ ମନ୍ଦିର ପରିସରରେ ଉପସ୍ଥିତ ଥିଲେ ରାଜ୍ୟ ଦେବତୋର କମିଶନ, ପୁରୀ ଉପଜିଲ୍ଲାପାଳ, କାକଟପୁର ବିଧାୟକ । ସମସ୍ତ ପ୍ରଶାସନିକ ବାବୁ ମନ୍ଦିର ଚାରିପଟ ଓ ପ୍ରାଚୀନଦୀର କୂଳ ବୁଲି ଦେଖିଥିଲେ । ସ୍ଥିତି ଅନୁଧ୍ୟାନ କରିବା ପରେ ମନ୍ଦିରରେ ପ୍ରଥମେ ହୁଣ୍ଡି ଖୋଲାଯିବ ପରେ ଟ୍ରଷ୍ଟବୋର୍ଡ ଗଠନ କରାଯାଇ ସବୁ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ।ବିଧାନସଭା ଷ୍ଟାଡିଂ କମିଟି ସରକାରଙ୍କୁ ତାର ରିପୋର୍ଟ ପ୍ରଦାନ କରିବା ପରେ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇ ମଙ୍ଗଳା ମନ୍ଦିର ସମେତ ପ୍ରାଚୀନଦୀର ପୁନଃରୁଦ୍ଧାର କରାଯିବ ।