ଜନସନ କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ସଫଳ ହେଲେ କରୋନାରୁ ମୁକ୍ତି ପାଇଁ ଗୋଟିଏ ଡୋଜ

195

କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଟିକାର ଅଭାବକୁ ନେଇ ସଂକଟ ଦେଖା ଦେଇଛି । ଏହାରି ଭିତରେ ବହୁରାଷ୍ଟ୍ରୀୟ ଔଷଧ କମ୍ପାନି ଜନସନ ଏଣ୍ଡ ଜନସନର କରୋନା ଟିକାକୁ ଭାରତରେ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଏହି ଟିକାକୁ ଗୋଟିଏ ଥର ଦିଆଯାଇଥାଏ ।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ଔଷଧ ମହା ନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ ଏହି ଟିକାର ଫେଜ୍-୧ ଓ ଫେଜ-୨ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଟିକାର ଉଭୟ ପ୍ରତିଷେଧକ କ୍ଷମତା ଓ ନିରାପତ୍ତା ଯାଞ୍ଚ ପାଇଁ ପରୀକ୍ଷଣ କରାଯିବ ।

ଏହି ଟିକାର ପରୀକ୍ଷଣ ସଫଳ ହେଲେ ତାହା ଭାରତ ପାଇଁ ଏକ ବଡ଼ ଆଶ୍ବସ୍ତି ଆଣିଦେବ । କାରଣ ଏହି ଟିକାକୁ ଥରେ ମାତ୍ର ଦିଆଯାଏ । ଏଣୁ ସ୍ବଳ୍ପ ସମୟରେ ଏହି ଟିକାକୁ ଅଧିକ ସଂଖ୍ୟକ ଲୋକଙ୍କୁ ଦେଇହେବ ।

ଏହି ଟିକାକୁ ପୂର୍ବରୁ ଆମେରିକୀୟ ଔଷଧ ନିୟନ୍ତ୍ରକ ୟୁଏସଏଫଡିଏ ଅନୁମତି ଦେଇଥିବାରୁ ଭାରତରେ ଏହାର ଏକ ବ୍ରିଜିଂ ଟ୍ରାଏଲ ଅର୍ଥାତ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ଋଷୀୟ ଟିକା ସ୍ପୁଟନିକ ଓ ଅକ୍ସଫୋର୍ଡ ଟିକାର ବ୍ରିଜିଂ ଟ୍ରାଏଲ କରାଯାଇଥିଲା ।

କହିରଖୁ କି ଭାରତରେ ଏପର୍ଯ୍ୟନ୍ତ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ୨ ଟି ଟିକା (କୋଭାକ୍ସିନ ଓ କୋଭିସିଲ୍ଡ) କୁ ଡିସିିଜିଆଇ ପକ୍ଷରୁ ଅନୁମତି ମିଳିଛି । ଏହି ଦୁଇଟି ଟିକାକୁ ଏବେ ଭାରତରେ କରୋନା ନିରୋଧି ଟିକାକରଣରେ ସାମିଲ କରାଯାଇଛି ।