ଜମ୍ମୁ-କାଶ୍ମୀର : ବଡଗ୍ରାମ ଠାରେ ପୋଲିସ-ଆତଙ୍କବାଦୀ ଗୁଳି ବିନିମୟ, ଜଣେ ଲସ୍କର ଆତଙ୍କବାଦୀ ମୃତ

106

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ବଡଗ୍ରାମର ମୋଚବା ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଲସ୍କର ଆତଙ୍କବାଦୀର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ଧରିଛି ପୋଲିସ । ଧରାପଡିଥିବା ଆତଙ୍କବାଦୀଙ୍କ ଠାରୁ ଗୋଟିଏ ଏ.କେ -୪୭ ରାଇଫଲ ଓ ଗୋଟିଏ ପିସ୍ତଲ ଜବତ୍ କରାଯାଇଛି । ଏହାପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ ଜାରି ରହିଛି ।

ବଡଗ୍ରାମ ସଂଘର୍ଷକୁ ନେଇ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି କି, ଏହି ସଂଘର୍ଷରେ ଲସ୍କା-ଏ-ତୋଇବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ଡାଇରୀରୁ ତଥ୍ୟ ମୁତାବକ ଅନ୍ୟଜଣେ ଆତଙ୍କବାଦୀଙ୍କୁ ଧରାଯାଇଛି । ତା ନିକଟରୁ ପିସ୍ତଲ ଓ ଗ୍ରେନେଡ ବି ଜବତ୍ କରାଯାଇଛି । ଏହାସହ ସେ ଯେଉଁ ଟ୍ରକରେ ପଳାଇଯିବାକୁ ଚେଷ୍ଟା କରୁଥିଲା ତାର ଚାଳକକୁ ଧରିଛନ୍ତି ସୁରକ୍ଷାକର୍ମୀ ।

କହିରଖୁ କି, ଗୁଇନ୍ଦା ବିଭାଗର ସୂଚନା ପାଇବା ପରେ ସୁରକ୍ଷାବଳ ଦ୍ୱାରା ମୋଚବା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ଠିକ୍ ଏତିକିବେଳେ ସେହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀମାନେ ବି ଗୁଳି ଚଳାଇଥିଲେ ।