୪ ବର୍ଷ ହେଲା ଗଲାଣି ବାତ୍ୟା, ଏଯାଏଁ ମିଳିନି ସହାୟତା: ଝଡରେ ଭାଙ୍ଗି ଯାଇଛି ଘର, ପୋଖରୀ ତୁଠରେ ରହୁଛନ୍ତି ଫନି ପୀଡିତ

122

କନକ ବ୍ୟୁରୋ: ପ୍ରାୟ ପ୍ରତି ବର୍ଷ ଓଡ଼ିଶା ଦେଖୁଛି ବାତ୍ୟା । ଯଦିଓ ବାତ୍ୟାରେ ଏତେଟା ଜୀବନ ନଷ୍ଟ ହେଉନାହିଁ କିନ୍ତୁ ବାତ୍ୟା ଯୋଗୁ ଅନେକ ଘର ଉଜୁଡି ଯାଉଛି । ହେଲେ ପ୍ରଶାସନର ଅବହେଳା ଯୋଗୁ ବାତ୍ୟା ବିପନ୍ନମାନେ ସରକାରୀ ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ସେମିତି ଜଣେ ଅବହେଳିତ ବାତ୍ୟା ବିପନ୍ନ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୋରଡି ଗାଁରେ ସୋବି ସ୍ୱାଇଁ ।

ଫନି ବାତ୍ୟାକୁ ୪ ବର୍ଷ ବିତିଲାଣି କିନ୍ତୁ ଏବେ ହନ୍ତସନ୍ତ ହେଉଛନ୍ତି ବାତ୍ୟା ବିପନ୍ନ । ୨୦୧୯ ମେ’ ୩ ତାରିଖରେ ଓଡିଶା ମୁହାଁ ହୋଇଥିବା ସାମୁଦ୍ରିକ ଝଡ ଫନି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଯଦିଏ ଜୀବନ ନଷ୍ଟ କରିନଥିଲା, କିନ୍ତୁ ଚାଷ ବାସ ଉଜାଡି ଦେଇଥିଲା । ଅନେକ ବାସହରା ହୋଇଥିଲେ, ସେହି ବାସହରାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୋଖରୀ କୂଳରେ ଆଶ୍ରୟ ନେଇଥିବା ଗୋରଡି ଗାଁରେ ସୋବି ସ୍ୱାଇଁ ।

ଫନୀ ବାତ୍ୟାରେ ସୋବି ସ୍ୱାଇଁଙ୍କ ଘର ଭାଙ୍ଗି ଯାଇଥିଲା । ଘର ବବାଦରେ ସରକାରୀ ସହୟତା କିଛି ମିଳିଲା ନାହିଁ । ତେଣୁ ସେବେଠୁ ପୋଖରୀ କୂଳରେ ଥିବା ସରକାରୀ ବସ୍ତ୍ର ବଦଳା ଗୃହରେ ବତୁଛି ସୋବିଙ୍କ ଜୀବନ । ଛୋଟିଆ ବସ୍ତ୍ର ବଦଳା ଗୃହ ଉପରେ ପଲିଥିନ୍ ପକାଇ ରହୁଛନ୍ତି ସୋବି ଓ ତାଙ୍କ ପରିବାର । ସବୁଠୁ ଆଶ୍ଚଯ୍ୟକର କଥା ହେଉଛି ଅନେକ ନେତା, ମନ୍ତ୍ରୀ ସେହି ରାସ୍ତା ଦେଇ ଯାଉଛନ୍ତି କିନ୍ତୁ ସୋବିଙ୍କ ଉପରେ କାହାରି ନଜର ପଡୁନି ।