ଖରସ୍ରୋତା କୂଳରେ ଗାଁ ଅଛି, ହେଲେ ଗାଁକୁ ଯିବାକୁ ରାସ୍ତା ନାହିଁ: ବର୍ଷ ବର୍ଷ ଧରି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

94

କନକ ବ୍ୟୁରୋ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା । କେବଳ ବିଲ ହିଡ଼ ଉପରେ ଯାତାୟାତ କରୁଛନ୍ତି ଗ୍ରାମବାସୀ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ତଣ୍ଡରା ପଂଚାୟତର ଫିରୋଜାବାଦ ଗ୍ରାମବାସୀ ଦୀର୍ଘବର୍ଷ ଧରି ଏଭଳି ସମସ୍ୟା ଭୋଗୁଛନ୍ତି । ଗାଁରେ ୧୦ରୁ ଉଦ୍ଧ୍ୱର୍ ପରିବାର ରହୁଥିବା ବେଳେ ବିପଦ ସମୟରେ ଦମକଳ ଗାଡି, ଆମ୍ବୁଲାନ୍ସ କି ପୋଲିସ ଗାଡି ଗାଁକୁ ଯାଇ ପାରେନି ।

ଗାଁ ଅଛି ହେଲେ ଗାଁକୁ ସଂଯୋଗ କରିବାକୁ ରାସ୍ତା ନାହିଁ । ଗାଁ ଭିତରେ କଂକ୍ରିଟ ରାସ୍ତା ରହିଛି କିନ୍ତୁ ଗାଁ ଭିତରକୁ ଯିବାକୁ ହେଲେ ବିଲ ହିଡ଼ ହିଁ ଏକମାତ୍ର ବାଟ । ପ୍ରାକୃତିକ ଦୁର୍ବିପାକ କିମ୍ବା ଜରୁରୀକାଳୀନ ଅସୁବିଧା ହେଲେ ଗାଁରେ ପହଂଚି ପାରେନି ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି । ବିକାଶ ଠୁ ବହୁ ଦୂରରେ ଥିବା ଗାଁର ଛାତ୍ରଛାତ୍ରୀମାନେ ବନ୍ଧୁବାନ୍ଧବଙ୍କ ଘରେ ରହି ପାଠ ପଢନ୍ତି । ଏମିତି ଗାଁ କୌଣସି ଉପାନ୍ତ ଅଂଚଳର ନୁହେଁ, ବରଂ ଉପକୂଳ ଓଡିଶାର ଅନ୍ୟତମ ଆଗୁଆ ଜିଲା ଯାଜପୁର କୋରେଇ ଅଂଚଳରେ ଅଛି ।

ଫିରୋଜାବାଦ ଗାଁଟି ଖରସ୍ରୋତା ନଦୀ କୂଳରେ ଥିବାରୁ ସାମାନ୍ୟ ବନ୍ୟା ଆସିଲେ ଲୋକଙ୍କ ମଧ୍ୟରେ ଛନକା ପସେ । ବର୍ଷ ବର୍ଷ ଧରି ଗ୍ରାମବାସୀ ସମସ୍ୟା ଭିତରେ ଘାଂଟି ହେଉଛନ୍ତି । ରାସ୍ତା ସମସ୍ୟା ଯୋଗୁଁ ଏହି ଗାଁରେ ଝିଅ ବାହା ଦେବାକୁ ଅମଙ୍ଗ ହୁଅନ୍ତି ଲୋକେ । ଏକଥା ପ୍ରଶାସନ ଠାରୁ ରାଜନେତା ସମସ୍ତେ ଜାଣି ବି ଚୁପ ରହିଛନ୍ତି । ସେପଟେ କୋରେଇ ବିଡିଓ କହିଛନ୍ତି, ଜମି ସମସ୍ୟା ଥିବାରୁ ରାସ୍ତା ହୋଇପାରୁନାହିଁ ।