ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଛି ୧୬ଦିନ : କେବେ ହଟିବ ପରଦା ? ସିବିଆଇ ହାତରେ କୌଣସି ସୁରାକ ଲାଗିନଥିବା ଚର୍ଚ୍ଚା

111

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଏହାରି ଭିତରେ ୧୬ ଦିନ ପୂରିଛି । କିନ୍ତୁ ଦୁର୍ଘଟଣା ପଛର ଅସଲ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଦୁର୍ଘଟଣାର ତଦନ୍ତ କରିବାକୁ ଆସିଥିବା ସିବିଆଇ ହାତରେ କିଛି ଲାଗିନଥିବା ଜଣାପଡ଼ୁଛି । ଏବେ ସୂଚନା ମିଳିଛି ଯେ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କିଛି ଅଧିକାରୀ ଦିଲ୍ଲୀ ଫେରିଯାଇଛନ୍ତି ।

ତେବେ ଆଗାମୀ ଦିନରେ ସେମାନେ ପୁଣି ଫେରିବେ ବୋଲି କୁହାଯାଉଛି । ତେବେ ତଦନ୍ତ ଭିତରେ ସିବିଆଇ ହାତରେ କୌଣସି ସୁରାକ ଲାଗିନଥିବା ସୂଚନା ମିଳିଛି । ଏପରିକି ରେଳ ଅଧିକାରୀ ଓ ବୈଷୟିକ ଟିମ୍ ତଦନ୍ତକାରୀ ଟିମକୁ ସଠିକ୍ ତଥ୍ୟ ଦେଇପାରୁନଥିବା କୁହାଯାଉଛି । ସିଗନାଲ, ରିଲେ ରୁମ୍, ଅଟୋମେଟିକ୍ ସୁଇଚ୍ ବୋର୍ଡ ଜବତ କରିଥିଲେ ମଧ୍ୟ ସିବିଆଇ ସେଥିରୁ କିଛି ସୁଫଳ ପାଇପାରିନାହିଁ ।

ଗତ ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନରେ ଏହି ଭୟାବହ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୯୦ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଦୁର୍ଘଟଣାର ସିବିଆଇର ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଘୋଷଣା କରିଥିଲେ । ଆଉ ସିବିଆଇ ତଦନ୍ତଭାର ହାତକୁ ନେବା ପରେ ତନାଘନା ଜୋରଦାର ହୋଇଥିଲା । କିନ୍ତୁ ଏହାରି ଭିତରେ ଦୁର୍ଘଟାଣାକୁ ଦୁଇ ସପ୍ତାହେରୁ ଅଧିକ ଦିନ ବିତିଯାଇଥିଲେ ବି ରହସ୍ୟ ଉପରୁ ପରଦା ଉଠିପାରିନାହିଁ ।