ବାପା ବିକୁଛନ୍ତି ଫଳ, ପୁଅ ଆଇପିଏଲରେ ଫାଷ୍ଟ ବୋଲର: ଏମିତି ଥିଲା ଫାଷ୍ଟ ବୋଲର ଉମରାନ ମଲ୍ଲିକଙ୍କ ସଂଘର୍ଷ

116

କନକ ବ୍ୟୁରୋ: ଦିନେ ୫୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ । ବୋଲିଂ କରିବା ପାଇଁ ପାଖରେ ନିଜର ଜୋତା ଖଣ୍ଡେ ମଧ୍ୟ ନଥିଲା । ଭଡାରେ ଜୋତା ଆଣି ନିଜର ପ୍ରାକ୍ଟିସ କରୁଥିଲେ । ଏହାରି ଭିତରେ ଗରିବି ଗଳିରୁ ବାହାରି ବଡ କ୍ରିକେଟର ହେବା ପାଇଁ ସେ ସ୍ୱପ୍ନ ଦେଖିଥିଲେ । ଆଉ ଆଜି ଆଇପିଏଲରେ କରୁଛନ୍ତି କମାଲ । ଆମେ କହୁଛୁ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଫାଷ୍ଟ ବୋଲର ଉମରାନ ମଲ୍ଲିକଙ୍କ କଥା । ଚେନ୍ନାଇ ବିପକ୍ଷରେ ଉମରାନ ଘଣ୍ଟା ପ୍ରତି ୧୫୪ କିଲୋମିଟର ସ୍ପିଡରେ ବୋଲିଂ କରି ବ୍ୟାଟ୍ସମ୍ୟାନଙ୍କ ହୋସ ଉଡାଇ ଦେଇଥିଲେ । ଆଉ ବନି ଯାଇଛନ୍ତି ଚଳିତ ଆଇପିଏଲର ସବୁଠାରୁ ଦ୍ରୁତତମ ବଲ ପକାଇଥିବା ବୋଲର ।

ଉମ୍ରାନ ମଲ୍ଲିକ । ବୟସ ୨୨ ବର୍ଷ । ଘର ଜାମ୍ମୁ କାଶ୍ମିର । ସେହି ଜାମ୍ମୁ କାଶ୍ମିର ଯେଉଁଠି ଆତଙ୍କୀମାନେ ଷଡଯନ୍ତ୍ର ରଚନ୍ତି । ପ୍ରତିଦିନ ବୋମା, ଗୁଳିର ଶବ୍ଦ ଶୁଣି ଲୋକମାନେ ଭୟରେ ରାତି ବିତାଇଥାନ୍ତି । ଏତେ ସବୁ ପରେ ବି ନିଜ ଦେଶ ପାଇଁ କ୍ରିକେଟ ଖେଳିବାର ସ୍ୱପ୍ନ କେବେ ଛାଡିନଥିଲେ ଉମରାନ । ଜମ୍ମୁର ଗୁଜ୍ଜର ନଗରର ମଧ୍ୟବିତ ପରିବାରରେ ଜନ୍ମିତ ଉମରାନଙ୍କ ବାପା ଜଣେ ଫଳ ଦୋକାନୀ । ସ୍ଥାନୀୟ ବଜାରରେ ଫଳ ଦୋକାନ କରି ନିଜ ପରିବାର ଚଳାନ୍ତି ଉମରାନଙ୍କ ବାପା । ତାଙ୍କ ବାପା ଚାହୁଁଥିଲେ ପୁଅ ପାଠ ପଢି ଚାକିରି, ହେଲେ ପରେ ପୁଅର ଇଚ୍ଛାକୁ ବାପା ମଧ୍ୟ ସମର୍ଥନ ଜଣାଇଥିଲେ । ଆଉ କ୍ରିକେଟ ପୁଅକୁ କ୍ରିକେଟ ଖେଳିବାକୁ ସମର୍ଥନ କରିଥିଲେ ।

୨୦୧୭ କଥା ଯେତେବେଳେ ନିଜ ଅଞ୍ଚଳରେ ଷ୍ଟାର ବୋଲର ଥିଲେ ଉମରାନ ମଲ୍ଲିକ । ସେ କେବେ ଲେଦର ବଲରେ ବୋଲିଂ କରିନଥିଲେ । ସେ ସ୍ଥାନୀୟ ଅଞ୍ଚଳରେ କ୍ରିକେଟ ଖେଳି ୫୦୦ରୁ ୩୦୦୦ ଟଙ୍କା ଯାଏଁ ରୋଜଗାର କରିଦେଉଥିଲେ । ଦିନେ ଉମରାନ ମୌଲାନା ଆଜାଦ ଷ୍ଟାଡିୟମକୁ ଯାଇ ବୋଲିଂ କରିବାକୁ କୋଚ ରଣଧିର ସିଂଙ୍କୁ କହିଥିଲେ । ଆଉ ତାଙ୍କ ଇଚ୍ଛା ଦେଖି କୋଚ ମଧ୍ୟ ତାଙ୍କୁ ମନା କରିନଥିଲେ । ବୋଲିଂ କରିବା ସମୟରେ ସେ ଜୋତା ପିନ୍ଧି ନଥିଲେ । ଆଉ ତାଙ୍କ ସାମ୍ନାରେ ଥିଲେ ରାଜ୍ୟ ସିନିୟର ଟିମର ବ୍ୟାଟ୍ସମ୍ୟାନ ଜତିନ ବାଧବାନ । ଉମରାନଙ୍କ ବଲର ସ୍ପିଡରେ ସେ ମଧ୍ୟ ଚିନ୍ତାରେ ପଡିଯାଇଥିଲେ ।

ଉମରାନଙ୍କ ଏହି ବୋଲିଂ ପରେ କୋଚ ତାଙ୍କୁ ସବୁଦିନ ପ୍ରାକ୍ଟିସ କରିବାକୁ ପରାମର୍ଶ ଦେଇଥିଲେ । କାରଣ ସେ ଜାଣିଥିଲେ ଉମରାନଙ୍କ ଭବିଷ୍ୟତ ଉଜ୍ୱଳ ଅଛି । ଉମରାନ କ୍ରିକେଟ କ୍ଲବରେ ନାଁ ଲେଖାଇଥିଲେ ସତ ହେଲେ ଦିନେ ଅଭ୍ୟାସ କରିବାକୁ ଆସି ୪ ଦିନ ଗାୟବ ହୋଇଯାଉଥିଲେ । ହେଲେ ପରେ ରାଜ୍ୟ ପାଇଁ କ୍ରିକେଟ ଖେଳିଥିଲେ । ଆଉ ତାଙ୍କ ବୋଲିଂ ସ୍ପିଡ ପାଇଁ ସେ ଆଇପିଏଲରେ ମଧ୍ୟ ସ୍ଥାନ ପାଇଥିଲେ ।

ଚଳିତ ଆଇପିଏଲରେ ହାଇଦ୍ରାବାଦ ତାଙ୍କୁ ୪ କୋଟି ଟଙ୍କାରେ ରିଟେନ ରଖିଥିଲା । ଆଉ ଏବେ ସେ ଆଇପିଏଲରେ ନିଜ କମାଲ ଦେଖାଉଛନ୍ତି । ୯ଟି ମ୍ୟାଚରେ ସେ ୧୫ଟି ୱିକେଟ ନେଇ ୫ ନମ୍ବର ସ୍ଥାନରେ ରହିଛନ୍ତି । ଏହାସହ ଗୁଜରାଟ ବିପକ୍ଷରେ ସେ ୫ ୱିକେଟ ମଧ୍ୟ ହାସଲ କରିଥିଲେ । କେବଳ ସେତିକି ନୁହେଁ ଚେନ୍ନାଇ ବିପକ୍ଷ ଘଣ୍ଟା ପ୍ରତି ୧୫୪ ସ୍ପିଡରେ ବଲ ମଧ୍ୟ ପକାଇଥିଲେ । ଉମରାନଙ୍କ ଏଭଳି ବୋଲିଂ ଦେଖି କୁହାଯାଇପାରିବ ସେ ଭାରତର ଡେଲ ଷ୍ଟେନ ।