ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ, ଚର୍ଚ୍ଚା ବଢିଲା, ରାଜନୀତିର ତାତି ବଢିଲା ।

366

କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ମେ’ ୩୧ରେ ଉପନିର୍ବାର୍ଚନ ପାଇଁ ପଡିବ ଭୋଟ । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନରେ  ଭୋଟ ହେବାକୁ ଯାଉଥିବାବେଳେ ୩ ଜୁନରେ ପ୍ରକାଶ ପାଇବ ଫଳ ।

ଉପନିର୍ବାଚନ ନେଇ ଆସନ୍ତା ୪ତାରିଖରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ୪ ମେ’ରୁ ୧୧ ମେ’ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ । ୧୨ ମେ’ରେ ପ୍ରାର୍ଥୀପତ୍ର ଯାଞ୍ଚ । ୧୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତେବେ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ତିନି ପ୍ରମୁଖ ଦଳର କସରତ ଆରମ୍ଭ ହୋଇ ସାରିଛି । ବିଜେଡିର କିଏ ହେବ ପ୍ରାର୍ଥୀ  ସେନେଇ ଚର୍ଚ୍ଚା ଜୋର ଧରିଛି । ଖାସକରି ୨ଟି ନାଁକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି ।

କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା କରାଯାଉଥିବାବେଳେ ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି ଦାସ ନିଜ ସମର୍ଥକଙ୍କ ମାଧ୍ୟମରେ ଦାବିଦାର କଥା କହୁଛନ୍ତି । ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ମଇଦାନକୁ ଓହ୍ଲାଇ ଅନୁକମ୍ପା କାର୍ଡ ଖେଳି ପାରନ୍ତି । ଯେହେତୁ ପୂର୍ବରୁ ଅନେକ ଉପ-ନିର୍ବାଚନରେ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି ତେଣୁ ଅଳକା ବେଶ ଆଶାବାଦୀ ଅଛନ୍ତି ।

ଅନ୍ୟପଟେ ପ୍ରମୁଖ ବିରୋଧୀ ବିଜେପି ରାଧାରାଣୀ ପଣ୍ଡା ନା ଅନ୍ୟ କାହାକୁ ପ୍ରାର୍ଥୀ କରିବ ସେନେଇ ଦଳ ଭିତରେ ଅଙ୍କକଷା ଚାଲିଛି । ଯେହେତୁ ପୂର୍ବରୁ ରାଧାରାଣୀ ଏହି ଆସନରୁ ବିଜୟୀ ହୋଇଥିଲେ ତେଣୁ ଦଳ ତାଙ୍କ ଉପରେ ଭରସା କରିପାରେ । ସେହିଭଳି କଂଗ୍ରେସର ଗଡ କୁହାଯାଉଥିବା ବ୍ରଜରାଜନଗର ପାଇଁ ଟାଣୁଆ ନେତା କିଶୋର ପଟେଲ ନା ଆଉ କାହାକୁ ମଇଦାନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି, ୮୦ହଜାରରୁ ଅଧିକ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୬୮ହଜାର ୧୫୩ ଭୋଟ ପାଇଥିଲେ । ୧୧ ହଜାର ୬୩୪ ଭୋଟରେ ବିଜେଡି ବିଜୟ ହାସଲ କରିଥିଲା । ତେଣୁ ବିଜେଡି ଏହି ଆସନକୁ ପୁଣିଥରେ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି । ଅନ୍ୟପଟେ ପଂଚାୟତ, ପୌର ନିର୍ବାଚନ ଫଳାଫଳ ପରେ ବ୍ରଜରାଜନଗର ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ  ପାଲଟିଛି ।