ମେ’ ୩୧ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ, ଜୁନ୍ ୩ରେ ହେବ ଭୋଟଗଣତି । ଜାଣନ୍ତୁ କେବେଠୁ ଆରମ୍ଭ ହେବ ନାମାଙ୍କନପତ୍ର ଦାଖଲ?

177

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ସେହିଭଳି ୩ ଜୁନରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମେ’ ୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୪ରୁ ୧୧ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ମେ’ ୧୬ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲେ ମଧ୍ୟ ବୁଦ୍ଧ ପୂର୍ଣ୍ଣିମା ପାଇଁ ଛୁଟି ପଡୁଥିବା କାରଣରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମେ’ ୧୭ ରହିଛି । ସେହିଭଳି ୩୧ ମେ’ରେ ଭୋଟଗ୍ରହଣ ହେବ । ୩ ଜୁନରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏହି ନିର୍ବାଚନରେ ଇଭିଏମ ଓ ଭିଭିପାଟର ବ୍ୟବହାର ହେବ । କରୋନା କଟକଣା ଅନୁଯାୟୀ ନିର୍ବାଚନ ହେବାକୁ ଥିବା ବେଳେ ଯଦି କେହି ପ୍ରାର୍ଥୀ କରୋନା ଗାଇଡଲାଇନର ଉଲ୍ଲଂଘନ କରେ ତେବେ ତାଙ୍କୁ ପ୍ରଚାର କରିବାକୁ ଅନୁମତି ଦିଆଯିବ ନାହିଁ । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡିଛି । ତେଣୁ ଏହି ଆସନରେ ନିର୍ବାଚନ ହେବାକୁ ଯାଉଛି । ଉପ-ନିର୍ବାଚନ ପାଇଁ ଘୋଷଣା ପରେ ଏବେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହେବ କସରତ । ତେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେଉଛି ତାହା ଉପରେ ରହିବ ସମସ୍ତଙ୍କର ନଜର ।