ମାଛ ବଦଳରେ ମାଛ କଣ୍ଟାରେ ଲାଗିଲା କୁମ୍ଭୀର: ଉଦ୍ଧାର ପରେ ବନ ବିଭାଗକୁ ଖବର ଦେଲେ ଗ୍ରାମବାସୀ

87

କନକ ବ୍ୟୁରୋ: ମାଛ ବଦଳରେ ବନ୍ସିରେ ଧରାପଡ଼ିଲା କୁମ୍ଭୀର ଛୁଆ । ଯାଜପୁର ବରୀ ବ୍ଲକ ରମ୍ପା ଗାଁର କୁନା ମଲ୍ଲିକ ମାଛ ଧରିବାକୁ ଗାଁ ନିକଟ ପଗିଡିିଆ ନଦୀରେ ବନ୍ସି ପକାଇଥିଲେ । ସେହି ବନ୍ସିରେ ମାଛ ବଦଳରେ ଏକ କୁମ୍ଭୀର ଲାଗି ଯାଇଛି । କୁମ୍ଭୀରକୁ ନେଉଳିଆ ନିକଟରେ ରଖିଛନ୍ତି କୁନା । ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗୁଛି । ତେବେ ବନିସିରେ ମାଛ ଲାଗିଛି ଭାବି ନଦୀରୁ ଟାଣି ଆଣିଥିଲେ କୁନା ମଲ୍ଲିକ । ହେଲେ ବନିସି କଂଟାରେ ମାଛ ବଦଳରେ କୁମ୍ଭୀର ଲାଗିଥିବା ଦେଖି ସେ ଡରି ଯାଇଥିଲେ । ପରେ ବନ୍ଧୁ ଟୁଟନ ବେହେରାଙ୍କ ସହଯୋଗରେ କୁମ୍ଭୀରଟିକୁ ବନିସି ଛଡ ସହ ଗାଁକୁ ଆଣିଥିଲେ । କୁମ୍ଭୀରଟିକୁ ବାନ୍ଧି ଗାଁରେ ରଖିଥିବା ବେଳେ ବନବିଭାଗକୁ ଖବର ଦେଇଥିଲେ କୁନା । ବନ କର୍ମଚାରୀ ଆସି କୁମ୍ଭୀରକୁ ଉଦ୍ଧାର କରି ନେଇ ନଦୀରେ ଛାଡି ଦେଇଥିବା ଜଣାପଡିଛି ।