ବିମାନରେ ନିଆଁ ଲାଗିଥିବା ସନ୍ଦେହ କରି ଇଣ୍ଡିଗୋ ବିମାନ କଲା ଜରୁରୀ ଅବତରଣ

ପନ୍ଦର ମିନିଟ ପରେ କ୍ୟାପଟେନ କକପିଟରେ ସତର୍କ ସୂଚନା ଦେଉଥିବା ଲାଇଟ୍ ଦେଖିଲେ

118

କନକ ବ୍ୟୁରୋ : ଶୁକ୍ରବାର ସନ୍ଧ୍ୟାରେ ୭୬ ଜଣ ଯାତ୍ରୀ ଏବଂ ୬ ଜଣ ପରିଚାରକଙ୍କୁ ନେଇ କୋଲକାତାରୁ ଗୌହାଟୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ କରିବାର ଅଧଘଣ୍ଟା ପରେ ଶୂନ୍ୟରେ ନିଆଁ ଲାଗି ଯାଇଥିବା ଆଶଙ୍କାରେ ଜରୁରୀ ଅବତରଣ କରିଥିଲା। ନିଆଁ ଲିଭାଇବା ଏବଂ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଅବତରଣ ସ୍ଥଳରେ ଦମକଳ ଓ ଆମ୍ବୁଲାନ୍ସ୍ ପ୍ରସ୍ତୁତ କରି ରଖାଯାଇଥିଲା। କିନ୍ତୁ ବିମାନଟି ଅବତରଣ କରିବା ପରେ ସେଥିରେ ନିଆଁର ଚିହ୍ନବର୍ଣ୍ଣ ନ ଥିଲା।

 

୬ଇ୫୭୩ ବିମାନ କୋଲକାତା ବିମାନ ବନ୍ଦରରୁ ସନ୍ଧ୍ୟା ସାଢ଼େ ଆଠଟାରେ ଉଡ଼ାଣ ଆରମ୍ଭ କଲା। ପନ୍ଦର ମିନିଟ ପରେ କ୍ୟାପଟେନ କକପିଟରେ ସତର୍କ ସୂଚନା ଦେଉଥିବା ଲାଇଟ୍ ଦେଖିଲେ। ବିମାନରେ ନିଆଁ ଲାଗିଥିଲେ ଏ ଭଳି ଲାଇଟ୍ ଜଳିଥାଏ। ତୁରନ୍ତ ସେ ଏଟିସିଙ୍କ ସହ ଯୋଗାଯୋଗ କଲେ। ଘଟଣା ବିଷୟରେ ଜଣାଇବା ପରେ ବିମାନଟିକୁ ଫେରାଇ ନିଆଯାଇ ଜରୁରୀ ଅବତରଣ ପାଇଁ ଅନୁମତି ମଗାଗଲା।

 

ରନୱେରେ ଜରୁରୀକାଳୀନ ଗାଡ଼ି ସବୁ ଥାଇ ସେ ବିମାନଟି ରାତି ୯ଟା ବେଳେ ଅବତରଣ କଲା। ପ୍ରମୁଖ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ଗାଡ଼ି ସବୁ ଏବଂ ଡାକ୍ତରୀ ଦଳ ବିମାନଟିକୁ ଅନୁସରଣ କରି ବେ’ ନମ୍ବର ୨୫ ଆଡ଼କୁ ଅଗ୍ରସର ହେଲେ। ବିମାନ ମଧ୍ୟରୁ ଯାତ୍ରୀ ଏବଂ ପରିଚାରକମାନଙ୍କୁ ସଫଳତାର ସହ ବାହାରକୁ ଅଣାଗଲା। ତୁରନ୍ତ ଇଞ୍ଜିନିୟରମାନେ ବିମାନଟିକୁ ଯାଞ୍ଚ କରି ଦେଖିଲେ ସେଥିରେ ନିଆଁ ଲାଗି ନାହିଁ। କୌଣସି ବୈଷୟିକ ଅସୁବିଧା ହେତୁ ଫଲ୍ସ୍ ଓ୍ଵାର୍ଣ୍ଣିଙ୍ଗ୍ ହୋଇଥାଇ ପାରେ ବୋଲି ଏୟାରଲାଇନ ସୂତ୍ରରୁ ପ୍ରକାଶ।