ଡରିବ ପାକିସ୍ତାନ, ଥରିବ ଚୀନ । ସୀମା ଉପରେ ନଜର ରଖିବ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ।

192

କନକ ବ୍ୟୁରୋ: ଭାରତ-ପାକିସ୍ତାନ ସୀମାକୁ ଜଗିବ ଭାରତର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ୍ ଏସ୍-୪୦୦ । ଭାରତୀୟ ବାୟୁସେନାକୁ ଏହି ଯୁଦ୍ଧାସ୍ତ୍ର ମିଳିବା ପରେ, ସେ ଏହାକୁ ପଞ୍ଜାବର ଏକ ଏୟାରବେସରେ ମୂତୟନ କରିବ ବୋଲି ସୂଚନା ମିଳିଛି । ଯାହା ଫଳରେ ଭାରତ, ପାକିସ୍ତାନ ପଟରୁ ହେଉଥିବା ଅନେକ ଆକ୍ରମଣକୁ ରୋକିବାକୁ ସକ୍ଷମ ହେବ । ତେବେ ମିଳିଥିବା ସୂଚନା ମୁତାବକ, ଏହି ଏୟାର ଡିଫେନ୍ସ ସିଷ୍ଟମକୁ ପୂରାପୂରି ଭାବେ ଲଗାଇବାକୁ ଆହୁରି ୬ ସପ୍ତାହ ସମୟ ଲାଗିପାରେ । ତେବେ ଏହି ମିଶାଇଲ୍ ସିଷ୍ଟମକୁ ଏଭଳି ଭାବେ ମୂତୟନ କରାଯାଉଛି, ଯାହା ଫଳରେ ଏହା ପାକିସ୍ତାନ ସୀମାକୁ ନଜର ରଖିବା ସହିତ ଚୀନ ବର୍ଡର କିଛି ଅଂଶ ମଧ୍ୟ କଭର୍ କରିପାରିବ ।

ତେବେ ଜାଣିରଖିବା ଉଚିତ୍ ଯେ, ଦୁନିଆର ସବୁଠୁ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଭିତରେ ଏସ୍-୪୦୦କୁ ଗଣାଯାଏ । ଏହି ଏୟାର ଡିଫେନ୍ସ ସିଷ୍ଟମ ୪୦୦ କିଲୋମିଟର ରେଞ୍ଜରେ ଶତ୍ରୁକୁ ଦମନ କରିବା ସହିତ ଡ୍ରୋନ୍ ଓ ଏୟାରକ୍ରାଫ୍ଟକୁ ନଷ୍ଟ କରିବାକୁ ସଫଳ ହୋଇପାରିବ । ତେବେ ଏଥିରେ ସୁପରସୋନିକ୍ ଓ ହାଇପରସୋନିକ୍ ସମେତ ୪ଟି ମିସାଇଲ୍ ମଧ୍ୟ ରହିଛି । ଯାହାକି ୪୦୦ କିଲୋମିଟର ଭିତରେ ଥିବା ଶତ୍ରୁର ଯେକୌଣସି ଅସ୍ତ୍ରକୁ ନଷ୍ଟ କରିବାକୁ ସକ୍ଷମ ।

ଏସ-୪୦୦ର ଆଉ ଏକ ବିଶେଷତ୍ୱ ହେଉଛି ଏହାକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିହେବ । ଏଥିରେ ଏଭଳି ରାଡାର ଲଗାଯାଇଛି, ଯେଉଁଥିରେ ୬୦୦ କିଲୋମିଟର ଭିତରେ ଥିବା ଏକାଧିକ ଟାର୍ଗେଟକୁ ଖୋଜାଯାଇପାରିବ । ତେବେ ସବୁଠୁ ଖାସ୍ କଥା ହେଉଛି କମାଣ୍ଡ ମିଳିବା ପରେ ମାତ୍ର ୫ରୁ ୧୦ ମିନିଟ୍ ଭିତରେ ଏହା ଯେକୌଣସି ଅପରେସନ୍ ପାଇଁ ପ୍ରସ୍ତୁତ ହୋଇଯାଇଥାଏ ।

ସୂଚନାଯୋଗ୍ୟ ଯେ, ଭାରତ ନିଜର ଶକ୍ତି ବୃଦ୍ଧି କରିବାକୁ ଏହି ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ନିଜର ସେନାରେ ସାମିଲ କରିଛି । ଏଥିପାଇଁ ଭାରତ ଋଷ ସହିତ ଚୁକ୍ତି କରିବା ସହିତ ଏସ-୪୦୦ର ୫ଟି ଏୟାର ଡିଫେନ୍ସ ଆଣିବାକୁ କଥାବାର୍ତ୍ତା ଶେଷ କରିସାରିଛି । ଏହାରି ଭିତରେ ଋଷରୁ ପ୍ରଥମ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ଭାରତରେ ପହଞ୍ଚିଛି । ଯାହାକୁ ଭାରତୀୟ ସେନା ପଞ୍ଜାବରେ ମୂତୟନ କରିବ ।