୧୪୦୦ କିଲୋମିଟର ଦୂରରେ ଥିବା ଠିକଣାରେ ଜିନିଷ ପଠାଇଲେ ପହଞ୍ଚାଇବାକୁ ଭାରତୀୟ ରେଳକୁ ଲାଗୁଛି ତିନି ବର୍ଷ !

40

କନକ ବ୍ୟୁରୋ : ଭାରତୀୟ ରେଳ କହିଲେ ସାଧାରଣରେ ସମସ୍ତେ ଦୃଷ୍ଟି ଦିଅନ୍ତି । କାରଣ ଏହି ରେଳରେ ଦେଶରେ ପ୍ରତ୍ୟେକ ଦିନ ଅଢେଇ କୋଟିରୁ ଅଧିକ ଲୋକ ଯାତାୟତ କରନ୍ତି । କେବଳ ଯାତୟତ ନୁହେଁ ବରଂ ମାଲ ପରିବହନ କ୍ଷେତ୍ରରେ ଏହାଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେବେ ବର୍ତ୍ତମାନ ଯେଉଁ କଥା ଜଣାପଡିଛି ତାହା ଆପଣମାନେ ଜାଣିଲେ ଚକିତ ହୋଇ ରହିଯିବେ । କାରଣ ମାସେ ନୁହେଁ କି ବର୍ଷେ ନୁହେଁ ପୁରା ତିନିବର୍ଷ ସମୟର କଥା । ଆନ୍ଧ୍ରପ୍ରଦେଶର ବିଶାଖପାଟଣାରୁ ଗୋଟିଏ ମାଲଗାଡିର ଓ୍ଵାଗନ୍କୁ ୧୪୦୦ କିଲୋମିଟର ଦୂରରେ ଥିବା ଠିକଣା ସ୍ଥାନରେ ପହଞ୍ଚିବାକୁ ସାଢ଼େ ତିନି ବର୍ଷ ଲାଗିଛି। ୨୦୧୪ ମସିହାରେ ସେ ଓ୍ଵାଗନ୍ ବୁକ୍ କରାଯାଇଥିଲା। ତେବେ ଓ୍ଵାଗନ୍ ପହଞ୍ଚିବା ପରେ ରେଳବାଇ ଅଧିକାରୀମାନେ ମଧ୍ୟ କାବା ହୋଇ ଯାଇଥିଲେ।

ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ନାମକ କମ୍ପାନି ଓ୍ଵାଗନ୍ ନମ୍ବର ୧୦୭୪୬୨ ବୁକ୍ କରିଥିଲା। ସେଥିରେ ଥିଲା ବିଶାଖପାଟଣା ବନ୍ଦରରୁ ଆସିଥିବା କମ୍ପୋଷ୍ଟ ପାର୍ସଲ୍। ତାହା ପହଞ୍ଚିବାର ଥିଲା ମେସର୍ସ ରାମଚନ୍ଦ୍ର ଗୁପ୍ତାଙ୍କ ଦୋକାନରେ। କିନ୍ତୁ, ମାସ ପରେ ମାସ ବିତି ଚାଲିଲେ ମଧ୍ୟ ଓ୍ଵାଗନ୍ ଠିକଣା ଜାଗାରେ ପହଞ୍ଚିଲା ନାହିଁ। ରେଳବାଇକୁ ଅନେକ ଚିଠି କମ୍ପାନୀ ପକ୍ଷରୁ ଲେଖାଗଲା କିନ୍ତୁ କୈାଣସି ଲାଭ ହେଲା ନାହଁ । କେବଳ ଏତିକି ନୁହେଁ ରେଳ କର୍ତ୍ତୃପକ୍ଷ ମଧ୍ୟ ଦୀର୍ଘ ସାଢ଼େ ତିନି ବର୍ଷ ଧରି ସେ ଓ୍ଵାଗନ୍କୁ ଠାବ କରି ପାରିଲେ ନାହିଁ। ୧୦ ଲକ୍ଷ ଟଙ୍କା ମୂଲ୍ୟର କମ୍ପୋଷ୍ଟ ଭରା ଓ୍ଵାଗନ୍ ଏଇ ସମୟ ମଧ୍ୟରେ ବିଭିନ୍ନ ଷ୍ଟେସନ ଦେଇ ସମଗ୍ର ଦେଶ ଭ୍ରମଣ କରିଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷମାନେ ତାହାକୁ ଠାବ କରି ନ ପାରିବାରୁ ସେଥିରେ ଥିବା କମ୍ପୋଷ୍ଟ କ୍ରମେ ନଷ୍ଟ ହୋଇଯାଇଥିଲା। ଏବେ ଏକ ରେଳଷ୍ଟେସନ ପ୍ଲାଟଫର୍ମରେ ସେ କମ୍ପୋଷ୍ଟ ତକ ରଖାଯାଇଛି। ସେ ସବୁ ନଷ୍ଟ ହୋଇ ଯାଇଥିବାରୁ ଦୋକାନ ଦାର ତାହା ନେବାକୁ ରାଜି ହେଉନାହିଁ। କମ୍ପୋଷ୍ଟ ମାଲିକ କହୁଛନ୍ତି ଯେ, ଆମେ ମାନେ ଦୀର୍ଘ ତିନି ବର୍ଷ ଧରି ଅପେକ୍ଷା କରିଲୁ ମିଳିଲା ନାହିଁ । ଏନେ ଖରାପ ଜିନିଷକୁ ଆମକୁ ଦିଆଗଲେ ଆମେ କାହିଁକି ନେବୁ ବୋଲି କହିବା ସହ ସମସ୍ତ ଜିନିଷ ସେହି ମାଲଗାଡି ଡବା ମଧ୍ୟରେ ରହିଛି । ଏହାସହ ସେ କହିଛନ୍ତି ଯଦି ସଠିକ ସମୟରେ ରେଳ ବିଭାଗ ସାମଗ୍ରୀ ପହଞ୍ଚାଇ ପାରୁନାହିଁ ତାହା ରେଳବାଇର ଭୁଲ୍। ତେବେ ସାମଗ୍ରୀର ମୂଲ୍ୟର ଦାମ ଅର୍ଥାତ୍ ୧୦ ଲକ୍ଷ ଟଙ୍କା ରେଳ ବାଇଠାରୁ ଆଦାୟ କରାଯିବ ସେ କହିଛନ୍ତି ।