ଜ୍ଞାନବାପି ମସଜିଦ୍ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଶିବଲିଙ୍ଗ ଥିବା ସ୍ଥାନକୁ ସୁରକ୍ଷିତ ରଖାଯାଉ, ନମାଜ ପଢିବାକୁ କାହାକୁ ରୋକା ନ ଯାଉ ।

193

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆଜି ଜ୍ଞାନବାପି ମସଜିଦ୍ ବିବାଦ ମାମଲାର ଶୁଣାଣି ହୋଇଛି । ଏହି ଶୁଣାଣି ସମୟରେ ସୁପ୍ରିମକୋର୍ଟ ବାରଣାସୀ ଜିଲ୍ଲା ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେଉଁ ସ୍ଥାନରେ ଶିବଲିଙ୍ଗ ରହିଥିବା ନେଇ ଦାବି କରାଯାଉଛି ତାହାକୁ ସୁରକ୍ଷିତ ରଖାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉ ଏବଂ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ନମାଜ ପାଠ ପ୍ରଭାବିତ ନହେଉ । ଏନେଇ ସୁପ୍ରିମକୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ଗୁରୁବାର ହେବ ।

ଅନ୍ୟପଟେ ମୁସଲିମ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ସ୍ଥାନୀୟ ଅଦାଲତ କୌଣସି ରାୟ ଦେବା ଉଚିତ ନଥିଲା । ଯେହେତୁ ଏହାକୁ ନେଇ ବିଭିନ୍ନ ପିଟିସନ ଦାୟର ହୋଇଛି ତେଣୁ ଏହା ବାବଦରେ ରାୟ ଦେବା ଉଚିତ ନୁହେଁ । ମସଜିଦ ପରିସରର କିଛି ସ୍ଥାନକୁ ସିଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେବା ବିଭିନ୍ନ ଆଇନର ଉଲ୍ଲଂଘନ କରୁଛି । ଆଉ ଏହା ବିରୋଧରେ ମୁସଲିମ ପକ୍ଷ ତରଫରୁ ଏକ ପିଟିସନ ସୁପ୍ରିମକୋର୍ଟରେ ଦାୟର କରାଯାଇଛି ।

ଏସବୁ ଭିତରେ ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ପକ୍ଷରୁ ଏକ ବୈଠକ ଡକାଯାଇଛି । ଭର୍ଚୁଆଲରେ ହେବାକୁ ଥିବା ଏହି ବୈଠକରେ ଜ୍ଞାନବାପି ସମେତ ଟିପୁ ସୁଲତାନ ମସଜିଦ୍ ଓ ଅନ୍ୟାନ୍ୟ ମସଜିଦକୁ ନେଇ ଥିବା ମାମଲା ବାବଦରେ ଆଲୋଚନା ହେବ । ଏହାଛଡା ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ସେନେଇ ବୈଠକରେ ଆଲୋଚନା ହେବ । ବୋର୍ଡର କହିବା ଅନୁଯାୟୀ, ଅନ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବିଜେପି ମୁସଲିମ ବିରୋଧୀ ଅଭିଯାନ ଆରମ୍ଭ କରିଛି ।

ଅନ୍ୟପଟେ ବାରଣାସୀ କୋର୍ଟରେ ଜ୍ଞାନବାପି ମାମଲାର ଶୁଣାଣି ହୋଇଛି । ସର୍ଭେ ରିପୋର୍ଟ ପାଇଁ ଆଉ ୨ ଦିନର ଯେଉଁ ସମୟ କମିଶନର ମାଗିଥିଲେ ତାହାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି କୋର୍ଟ । ଫଳରେ ଜ୍ଞାନବାପି ସର୍ଭେ ରିପୋର୍ଟ ଆଉ ୨ ଦିନ ପରେ ହିଁ କୋର୍ଟରେ ଉପସ୍ଥାପିତ ହେବ ।