ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ । ଭାରତୀୟ ପର୍ଯ୍ୟଟକ ମୁହଁ ଫେରାଇବା ପରେ ଚୀନ ଆଶ୍ରାରେ ମାଳଦ୍ୱୀପ ରାଷ୍ଟ୍ରପତି । ସେପଟେ ଲାକ୍ଷାଦୀପରେ ହେବ ନୂଆ ବିମାନ ବନ୍ଦର ।

170

 

କନକ ବ୍ୟୁରୋ: ଭାରତ-ମାଳଦ୍ୱୀପ ମଧ୍ୟରେ ବିବାଦ ବଢୁଥିବାବେଳେ ଭାରତୀୟ ପର୍ଯ୍ୟଟକମାନେ ମାଳଦୀପ ଯିବାକୁ ଆଉ ଚାହୁଁ ନାହାନ୍ତି । ଫଳରେ ସେଠାକାର ପର୍ଯ୍ୟଟନ ଶିଳ୍ପକୁ ନେଇ ଚିନ୍ତା ବଢ଼ିଛି । ଏହି ସମୟରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନର ସହାୟତା ଲୋଡ଼ିଛନ୍ତି । ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ମାଳଦୀପ ରାଷ୍ଟ୍ରପତି । ମୁଇଜୁ ସରକାରଙ୍କ ୩ଜଣ ମନ୍ତ୍ରୀ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦ ବଢ଼ିଛି । ଏହାସହ “ବୟକଟ୍ ମାଳଦୀପ’ ଟ୍ରେଣ୍ଡ ଆରମ୍ଭ ହୋଇଛି । ଭାରତୀୟ ପର୍ଯ୍ୟଟକମାନେ ମାଳଦୀପ ବଦଳରେ ଲାକ୍ଷାଦୀପ ଯିବା ପାଇଁ ଆଗ୍ରହ ପ୍ରକାଶ କଲେଣି । ଏବେକାର ମାଳଦୀପ ରାଷ୍ଟ୍ରପତି ଭାରତ ବିରୋଧୀ ଓ ଚୀନର ଦୃଢ଼ ସମର୍ଥକ । ତେଣୁ ଏପରି ଅବସ୍ଥାରେ ସେ ନିଜ ଦେଶର ପର୍ଯ୍ୟଟନ ଶିଳ୍ପ ବଞ୍ଚାଇବାକୁ ଚୀନର ସହାୟତା ଲୋଡ଼ିଛନ୍ତି ।

ସେପଟେ ଲାକ୍ଷାଦୀପରେ ପର୍ଯ୍ୟଟନର ବିକାଶ ପାଇଁ ମୋଦୀ ସରକାର ମାଷ୍ଟର ପ୍ଲାନ କରିଛନ୍ତି । ଲକ୍ଷାଦ୍ୱୀପରେ ନିର୍ମାଣ ହେବ ନୂଆ ବିମାନ ବନ୍ଦର । ଏହି ନୂତନ ବିମାନ ବନ୍ଦର ଉଭୟ ସାମରିକ ଓ ବେସାମରିକ ଅପରେସନ ପାଇଁ ବ୍ୟବହୃତ ହେବ । ଆରବ ସାଗର ଓ ହିନ୍ଦ ମହାସାଗରରେ ପ୍ରତିରକ୍ଷା କ୍ଷେତ୍ର ସୁଦୃଢ କରିବାକୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ହାତକୁ ନେବାକୁ ଯାଉଛନ୍ତି ।

ପୂର୍ବରୁ ତଟରକ୍ଷୀ ବାହିନୀ ଏବେ ଭାରତୀୟ ବାୟୁସେନା ଲାକ୍ଷାଦ୍ୱୀପରେ ନୂଆ ବନ୍ଦର ଲାଗି ପ୍ରସ୍ତାବ ରଖିଥିବା ବେଳେ ଖୁବଶୀଘ୍ର ଏହାକୁ ମଞ୍ଜୁରୀ ମିଳିପାରେ । ଲାକ୍ଷାଦ୍ୱୀପୁର ଅଗାତି ଦ୍ୱୀପରେ ଏକମାତ୍ର ଏୟାର ଷ୍ଟ୍ରିପ୍ ରହିଥିବା ବେଳେ ଏହାର ଆକାର ଛୋଟ । ନୂଆ ବିମାନ ବନ୍ଦର ଲାକ୍ଷାଦ୍ୱୀପର ମିନିକୟରେ ନିର୍ମାଣ ହେବ । ଏହା ଆକାରରେ ଅନ୍ୟ ଦ୍ୱୀପ ଅପେକ୍ଷା ବଡ଼ ହୋଇଥିବାରୁ ଏଥିରେ ବିମାନ ବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଛନ୍ତି ।