୬୩ ବର୍ଷ ପରେ ପୁଣି ଇତିହାସର ହେବ ପୁନରାବୃତ୍ତି: ଗୋଟିଏ ବର୍ଷରେ ଭାରତୀୟ ଟିମରେ ୫ ଅଧିନାୟକ

436

କନକ ବ୍ୟୁରୋ: ବର୍ତ୍ତମାନ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ ଖେଳୁଛି । ଏହାପରେ ଭାରତ ଆୟର୍ଲାଣ୍ଡ ଗସ୍ତରେ ଯିବ । ଏଥିପାଇଁ ଟିମ ମଧ୍ୟ ଘୋଷଣା ହୋଇ ସାରିଛି । ଆଉ ଏହି ଟିମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହି ଗସ୍ତରେ ଯେତେବେଳେ ଟିମ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ମ୍ୟାଚ ଖେଳିବ, ସେତେବେଳେ ଭାରତ ୬୩ ବର୍ଷ ପୁରୁଣା ଇତିହାସର ପୁନରାବୃତ୍ତି କରିବ ।

୨୦୨୨ ଜାନୁଆରୀରୁ ଏବେ ଯାଏଁ ୪ ଖେଳାଳି ଭାରତୀୟ ଟିମର ଅଧିନାୟକ ରହିସାରିଛନ୍ତି । ଆଉ ଆୟର୍ଲାଣ୍ଡ ଗସ୍ତରେ ହାର୍ଦ୍ଦିକ ପାଣ୍ଡ୍ୟା ୫ମ ଅଧିନାୟକ ହେବେ । ଠିକ ଏହିଭଳି ୬୩ ବର୍ଷ ପୂର୍ବେ ଅର୍ଥାତ ୧୯୫୯ ମସିହାରେ ଭାରତୀୟ ଟିମରେ ୫ ଅଧିନାୟକ ରହିଥିଲେ । ସେତେବେଳେ ହେମୁ ଅଧିକାରୀ, ଦତ୍ତା ଗାଏକ୍ୱାର୍ଡ, ବିନୁ ମଙ୍କଡ, ଗୁଲାବରାୟ ରାମଚନ୍ଦ ଓ ପଙ୍କଜ ରଏ ଅଧିନାୟକତ୍ୱ କରିଥିଲେ ।

ଚଳିତ ବର୍ଷ ଆରମ୍ଭରୁ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ ଓ ରିଷବ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ବର୍ଷ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବିରାଟ କୋହଲି ଅଧିନାୟକ ରହିଥିଲେ । ପରାଜୟ ପରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟ ୨ ଟେଷ୍ଟ ଓ ୩ଟି ଦିନିକିଆରେ କେଏଲ ରାହୁଲ ଅଧିନାୟକ ରହିଥିଲେ ।

ଏହାପରେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷ ସିରିଜରେ ରୋହିତ ଶର୍ମା ଅଧିନାୟକ ରହିଥିଲେ । ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ରିଷବ ପନ୍ତ ଅଧିନାୟକ ରହିଛନ୍ତି । ଆଉ ଆୟର୍ଲାଣ୍ଡ ଗସ୍ତରେ ରୋହିତ ଶର୍ମା, ବିରାଟ କୋହଲି, ରିଷବ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ଫଳରେ ଏହି ଗସ୍ତରେ ପଞ୍ଚମ ଅଧିନାୟକ ଭାବେ ମୈଦାନକୁ ଓହ୍ଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା ।