୫ଟି ସଚିବଙ୍କ ଓଲଟପୁର ଗସ୍ତ: ନିଆଳି ଓଲଟପୁର ରାସ୍ତା ହେବ ଦୁଇ ଥାକିଆ, ହସ୍ପିଟାଲ ଅଞ୍ଚଳର ହେବ ବିକାଶ 

336

କନକ ବ୍ୟୁରୋ: ଓଲଟପୁର ସ୍ଥିତ ଏନଆଇଟିଏଆର ଅସ୍ଥି ଚିକିତ୍ସା ତଥା  ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ୫ଟି ସଚିବ ଭି କେ ପାଣ୍ଡିଆନ  ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ, କଟକ  ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ  ମାନେ ଉପସ୍ଥିତ  ଥିଲେ  । ସ୍ଥାନୀୟ ଲୋକ ଓ ରୋଗୀମାନଙ୍କ ସହ  ଆଲୋଚନା ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ରୋଗୀମାନେ ଯେପରି ସୁବିଧାରେ ଏନଆଇଟିଏଆରରେ ପହଂଚିପାରିବେ  ସେଥିପାଇଁ ନିଆଳି  ଅଡଶପୁର  ରାସ୍ତାର ବୋଇରାଇ ଛକ  ଠାରୁ  ଓଲଟପୁର  ଏନଆଇଟିଏଆର ପର୍ୟ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରାଯିବ । ଏନଆଇଟିଏଆର ହସ୍ପିଟାଲ ପାର୍ଶ୍ଵବର୍ତ୍ତ ଜମି  ଅଧିଗ୍ରହଣ କରି ସେ ଅଂଚଳର  ବିକାଶ କରାଯିବ । ହଷ୍ଟେଲର ମଧ୍ୟ ଉନ୍ନତି କରାଯିବ । ଏହି ଗସ୍ତ ଅବସରରେ   ଉନ୍ନୟନ କମିଶନର ଓ ୫ଟି ସଚିବ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।