ଚୀନ ସହ ଲଦାଖ ସୀମାରେ ଉତ୍ତେଜନା ଭିତରେ ଆସିଲା ବଡ ଖବର । ଏଲଏସି ନିକଟରେ ଭାରତ ଓ ଆମେରିକା କରିବେ ସାମରିକ ଶକ୍ତିପ୍ରଦର୍ଶନ

196

କନକ ବ୍ୟୁରୋ : ସୀମାରେ ଦାଦାଗିରି କରୁଥିବା ଚୀନକୁ ମିଳିବ କଡା ଜବାବ । ଭାରତ ଓ ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ ଅକ୍ଟୋବରରୁ ଏଲଏସି ସୀମାରେ ଆରମ୍ଭ ହେବାକୁ ଯାଉଛି । ଏହି ଯୁଦ୍ଧାଭ୍ୟାସ ଉତରାଖଣ୍ଡର ଓଲିରେ ହେବ, ଯାହା ଏଲଏସି ଠାରୁ ମାତ୍ର ୯୫ କିଲୋମିଟର ଦୂରେ ରହିଛି । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଏହି ସମାରଭ୍ୟାସ ଅକ୍ଟୋବର ୧୪ ତାରିଖରୁ ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ । ଏହା ଭାରତ ଓ ଆମେରିକା ମଧ୍ୟରେ ୧୮ ତମ ଯୁଦ୍ଧାଭ୍ୟାସ ।

ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବରରେ ଆମେରିକାର ଅଲସ୍କାରେ ଦୁଇ ଦେଶର ସୈନ୍ୟ ସମରାଭ୍ୟାସ କରିଥିଲେ । ଏହି ଯୁଦ୍ଧାଭ୍ୟାସର ମୂଳ ଉଦ୍ଦେଶ୍ୟ, ଦୁଇ ଦେଶର ଯବାନଙ୍କ ମଧ୍ୟରେ ସମନ୍ୱୟ, ସହଯୋଗ, ସାମିରକ କଳା କୌଶଳର ମିଳିତ ଅଭ୍ୟାସ । କୁହାଯାଉଛି ଭାରତ ଓ ଆମେରିକାର ଏହି ଯୁଦ୍ଧାଭ୍ୟାସ ଜରିଆରେ ଚୀନକୁ କଡା ସନ୍ଦେଶ ମିଳିବ । କାରଣ ଏନଏସି ନିକଟରେ ଆମେରିକା ସୈନ୍ୟଙ୍କ ଉପସ୍ଥିତିକୁ ଚୀନ ସହି ପାରିବ ନାହିଁ କି କିଛି କରିପାରିବ ନାହିଁ ।

ଅନ୍ୟପଟେ ଲଦାଖ ସୀମାରେ ଚୀନ ସେନା ୨୦୨୦ ମସିହାରୁ ଲଗାତାର ଉତ୍ତେଜନା ବଢାଇ ଆସୁଛନ୍ତି । ସେପଟେ ଆମେରିକା ସଂସଦର ବାଚସ୍ପତି ନାନ୍ସୀ ପାଲୋସୀଙ୍କ ତାଇୱାନ ଗସ୍ତପରଠୁ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଆସିଛି । ଏଥିର ରାଗିଯାଇ ଚୀନ ପ୍ରାୟ ଏକ ସପ୍ତାହ ହେଲା ତାଇୱାନ ସମୁଦ୍ର ସୀମାରେ ଯୁଦ୍ଧଭ୍ୟାସ ନାଁରେ ଗୁଣ୍ଡାଗିରି ଚଲାଇ ଆସିଛି । ଏପରି ସମୟରେ ଏଲଏସି ସୀମାରେ ଆମେରିକା ଓ ଭାରତ ସମରାଭ୍ୟାସ କରି ଚୀନକୁ ଚେତାବନୀ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି ।