ଭାରତ ସରକାରଙ୍କୁ ମାଲାମାଲ୍ କଲା ବିସିସିଆଇ । ଗୋଟିଏ ଆର୍ଥିକ ବର୍ଷରେ ୧୧୫୯ କୋଟି ଟଙ୍କା ଦେଲା ଟ୍ୟାକ୍ସ ।

131

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ଭାବେ ବିସିସିଆଇ ବେଶ ପ୍ରସିଦ୍ଧ । ଆଇପିଏଲ ହେଉ କି ଅନ୍ୟ କିଛି, ସବୁଥିରୁ ମୋଟା ଅଙ୍କର ଟଙ୍କା ଆଦାୟ କରିଥାଏ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ହେଲେ ଏବେ ବିସିସିଆଇକୁ ନେଇ ଆସିଛି ରୋଚକ ଖବର । କେବଳ ନିଜେ ମୋଟା ଅଙ୍କର ଟଙ୍କା ରୋଜଗାର ନୁହେଁ ବରଂ ଭାରତ ସରକାରଙ୍କୁ ମଧ୍ୟ ଧନୀ କରୁଛି ଆମ ଦେଶର କ୍ରିକେଟ୍ ବୋର୍ଡ । ଗତ ଆର୍ଥିକ ବର୍ଷରେ ଦମଦାର ରୋଜଗାର କରିବା ସହିତ ବୋର୍ଡ ୧୧୫୯ କୋଟି ଟଙ୍କା ଭାରତ ସରକାରଙ୍କୁ ଟ୍ୟାକ୍ସ ଦେଇଛି ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ, ଗତ ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ଗତ ଆର୍ଥିକ ବର୍ଷରେ ବିସିସିଆଇର ଟ୍ୟାକ୍ସରେ ୩୭ ପ୍ରତିଶତ ବୃଦ୍ଧି ଘଟିଛି ।

ରାଜ୍ୟସଭାରେ ମଙ୍ଗଳବାର ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପଙ୍କଜ ଚୌଧୁରୀ ବିସିସିଆଇ ଗତ ୫ ବର୍ଷ ଭିତରେ ଦେଇଥିବା ସମସ୍ତ ଟ୍ୟାକ୍ସର ସୂଚନା ଦେଇଛନ୍ତି । ତା ସହିତ ବିସିସିଆଇ ଏହି ୫ ବର୍ଷ ଭିତରେ କେତେ ଟଙ୍କା ଖର୍ଚ୍ଚ କରିଛି ସେନେଇ ମଧ୍ୟ ସୂଚନା ଦେଇଛନ୍ତି । ଯେଉଁଥିରୁ ବିସିସିଆଇର ଆୟକର ସମ୍ଭନ୍ଧରେ ସୂଚନା ମିଳିପାରିଛି ।

ବିସିସିଆଇର ଆୟ ଏବଂ ଖର୍ଚ୍ଚ

  • ୨୦୧୭ – ୧୮ ଆର୍ଥିକ ବର୍ଷରେ ୨୯୧୬.୬୭ କୋଟି ଟଙ୍କା ଆୟ । ୨୧୦୫.୫୦ କୋଟି ଟଙ୍କା ଖର୍ଚ୍ଚ
  • ୨୦୧୮-୧୯ ଆର୍ଥିକ ବର୍ଷରେ ୭୧୮୧ କୋଟି ଆୟ । ୪୬୫୨.୩୫ କୋଟି ଟଙ୍କା ଖର୍ଚ୍ଚ
  • ୨୦୧୯-୨୦ ଆର୍ଥିକ ବର୍ଷରେ ୪୯୭୨.୪୩ କୋଟି ଟଙ୍କା ଆୟ । ୨୨୬୮.୭୬ କୋଟି ଟଙ୍କା ଖର୍ଚ୍ଚ
  • ୨୦୨୦-୨୧ ଆର୍ଥିକ ବର୍ଷରେ ୪୭୩୫ କୋଟି ଟଙ୍କା ଆୟ । ୩୦୮୦ କୋଟି ଟଙ୍କା ଖର୍ଚ୍ଚ
  • ୨୦୨୧-୨୨ ଆର୍ଥିକ ବର୍ଷରେ ୭୬୦୬ କୋଟି ଟଙ୍କା ଆୟ । ୩୦୬୪ କୋଟି ଟଙ୍କା ଖର୍ଚ୍ଚ

ବିସିସିଆଇର ଆୟକର

  • ୨୦୧୭-୧୮ – ୫୯୬.୬୩ କୋଟି ଟଙ୍କା
  • ୨୦୧୮-୧୯ – ୮୧୫.୦୮ କୋଟି ଟଙ୍କା
  • ୨୦୧୯-୨୦ – ୮୮୨.୨୯ କୋଟି ଟଙ୍କା
  • ୨୦୨୦-୨୧ – ୮୪୪.୯୨ କୋଟି ଟଙ୍କା
  • ୨୦୨୧-୨୨ – ୧୧୫୯ କୋଟି ଟଙ୍କା