ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ ମନ୍ତ୍ରୀ ପରିଷଦ ! ୨୦୧୭-୧୮ ଆର୍ଥିକ ବର୍ଷର ବଜେଟରେ ଅଟକଳ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଟପିବ

19

କନକ ବ୍ୟୁରୋ : ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ ମନ୍ତ୍ରୀ ପରିଷଦ । ୨୦୧୭-୧୮ ଆର୍ଥିକ ବର୍ଷର ବଜେଟରେ ଅଟକଳ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଟପିବ ବୋଲି ସୂଚନା ମିଳିଛି । ଏଥର ବିଭାଗ ନୁହେଁ, ବିଭିନ୍ନ ଯୋଜନାକୁ ଲକ୍ଷ୍ୟ କରି ବ୍ୟୟ ବରାଦ କରାଯିବ ବୋଲି ସୂଚନା ମିଳିଛି । ବିଧାୟକଙ୍କ ପାଂଠି ୨ କୋଟିକୁ ବୃଦ୍ଧି ଲାଗି ଚାପ ପକାଯାଇଛି ।

ସେହିପରି ସରକାରଙ୍କୁ ପଂଚାୟତ ଛାଟ ଲାଗିବା ପରେ ଗାଁ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଯୋଜନା ଓ ଅଣ ଯୋଜନା ବ୍ୟବସ୍ଥାର ଉଚ୍ଛେଦ କରାଯାଇ ତା ସ୍ଥାନରେ ବଜେଟକୁ ପୁଂଜି ଖର୍ଚ୍ଚ ଓ ରାଜସ୍ୱ ଖର୍ଚ୍ଚ ଭାବରେ ବିଭକ୍ତ କରାଯାଇଛି । ୧ଲକ୍ଷ ୬ ହଜାର ୮୬୧ କୋଟି ୩୫ ଲକ୍ଷ ଟଙ୍କାର ଚିଠା ବଜେଟରେ ପ୍ରଶାସନିକ ବ୍ୟୟବରାଦ ରହିଛି ୪୭ ହଜାର ୪୯୦ କୋଟି ୪୯ ଲକ୍ଷ ଟଙ୍କା ।

ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ୫୨ ହଜାର ୮ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିଭଳି ବିପର୍ଯ୍ୟୟ ପରିଚାଳନା ବାବଦରେ ୧୮୨୪କୋଟି ୧୭ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଆସନ୍ତା ୨୭ ତାରିଖରେ ୨୦୧୭-୧୮ ପାଇଁ ରାଜ୍ୟର ଆର୍ଥିକ ବଜେଟ୍ ଆଗତ ହେବ । ପରେ ମାର୍ଚ୍ଚ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ସାଧାରଣ ବଜେଟ୍ ଉପରେ ଆଲୋଚନା ହେବ ।