ଟେଷ୍ଟ ରାକିଙ୍ଗ୍ ବିବାଦକୁ ନେଇ କ୍ଷମା ମାଗିଲା ଆଇସିସି । ଭୁଲରେ ଟିମ୍ ଇଣ୍ଡିଆ ହୋଇଥିଲା ନମ୍ବର ୱାନ୍ ଟେଷ୍ଟ ଦଳ ।

9,380

କନକ ବ୍ୟୁରୋ: ଆଇସିସି ଟେଷ୍ଟ ରାକିଙ୍ଗକୁ ନେଇ ବୁଧବାର ବିବାଦ ଦେଖିବାକୁ ମିଳିଥିଲା । ଆଇସିସି ୱେବସାଇଟରେ ପ୍ରଥମେ ଟିମ୍ ଇଣ୍ଡିଆ ନମ୍ବର ୱାନ୍ ସ୍ଥାନରେ ଥିବା ଦେଖିବାକୁ ମିଳିଥିଲା । ହେଲେ ଏହାର କିଛି ସମୟ ପରେ ଆଇସିସି ତରଫରୁ ଆଉ ଏକ ଅପଡେଟ୍ ସୂଚୀ ଜାରି କରାଯାଇଥିଲା । ତେବେ ଅପଡେଟ୍ ସୂଚୀରେ ରୋହିତ ଶର୍ମାଙ୍କ ଦଳକୁ ଦ୍ୱିତୀୟ ସ୍ଥାନରେ ରଖାଯିବା ସହିତ କଙ୍ଗାରୁ ଟିମ୍ ନମ୍ବର ଏକ ସ୍ଥାନରେ ଥିଲା । ତେବେ କୌଣସି ମ୍ୟାଚ୍ ନଖେଳାଯାଇ ମାତ୍ର କେଇ ଘଣ୍ଟା ଭିତରେ କେମିତି ଆଇସିସି ରାକିଙ୍ଗରେ ସ୍ଥାନ ପରିବର୍ତନ କଲା ତାକୁ ନେଇ ଦେଖିବାକୁ ମିଳିଥିଲା ବିବାଦ । ହେଲେ ଆଇସିସି ଏହି ଘଟଣାରେ ଏବେ କ୍ଷମା ମାଗିବା ସହିତ ସମ୍ପୂର୍ଣ୍ଣ ଘଟଣା କଣ ଥିଲା ସେ ନେଇ ସୂଚନା ଦେଇଛି ।

ଗୁରୁବାର ଆଇସିସି ନିଜର ଭୁଲ୍ ସ୍ୱୀକାର କରିବା ସହିତ ଏକ ବୟାନ ଜାରି କରିଛି । ଏଥିରେ କୁହାଯାଇଛି, ୧୫ ଫେବ୍ରୁଆରୀ ୨୦୨୩ରେ ଭାରତ ଏକ ଭୁଲ୍ ଯୋଗୁ ଆଇସିସି ୱେବସାଇଟରେ ନମ୍ବର ୱାନ୍ ସ୍ଥାନରେ ଥିବା ଦେଖିବାକୁ ମିଳିଥିଲା । ହେଲେ ଏ ସମସ୍ତ ପ୍ରକାର ଅସୁବିଧା ପାଇଁ ଆଇସିସି କ୍ଷମା ପ୍ରାର୍ଥନା କରିଛି । ତେବେ ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ ପରେ ତାଜା ଅପଡେଟ୍ ସହ ଅଷ୍ଟ୍ରେଲିଆ ଟିମ୍ ରାକିଙ୍ଗର ଶୀର୍ଷ ସ୍ଥାନ ବଜାୟ ରଖିଥିବା କୁହାଯାଇଛି ।

ଜାନୁଆରୀ ୧୭ ତାରିଖରେ ଭାରତ- ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ବର୍ତମାନ ଅଷ୍ଟ୍ରେଲିଆ ୧୨୬ ପଏଣ୍ଟ ସହ ରାକିଙ୍ଗର ପ୍ରଥମ ସ୍ଥାନରେ ଥିବାବେଳେ, ଭାରତ ୧୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି । ସୂଚନାଯୋଗ୍ୟ ଯେ, ରାକିଙ୍ଗର ପ୍ରଥମ ଦୁଇଟି ସ୍ଥାନରେ ଥିବା ଦୁଇଟି ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ । ଜାଣିରଖିବା ଉଚିତ୍ ଯେ, ଭାରତ ଯଦି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିନିଏ, ତେବେ ଟେଷ୍ଟ ରାକିଙ୍ଗର ପ୍ରଥମ ସ୍ଥାନ ଅର୍ଜନ କରିବ । ଦ୍ୱିତୀୟ ଟେଷ୍ଟକୁ ଭାରତ ଜିତିଲେ, ଟିମ୍ ଇଣ୍ଡିଆର ପଏଣ୍ଟ ୧୨୧କୁ ବୃଦ୍ଧି ପାଇବା ସହିତ ଅଷ୍ଟ୍ରେଲିଆର ପଏଣ୍ଟ ୧୨୦କୁ ଖସିିବ ।