କରୋନା ଭୟ ଭିତରେ କିପରି ହେବ ନିର୍ବାଚନ ? ଭି.କେ ପଲ କହିଲେ ବର୍ତ୍ତମାନ ସ୍ଥିତିରେ ରାଲି ଓ ଶୋଭାଯାତ୍ରା ନହେବା ଉଚିତ୍ ।

148

କନକ ବ୍ୟୁରୋ: ଗୋଟିଏ ପଟେ ସରକାର କୋଭିଡ ଗାଇଡଲାଇନ୍ ଆଣୁଛନ୍ତି ଓ ଅନ୍ୟପଟେ ନିର୍ବାଚନ ପାଇଁ ବଡ଼ ବଡ଼ ରାଲି କରୁଛନ୍ତି । ଏହା ପରସ୍ପର ପ୍ରତି ବିରୋଧଭାସ କରୁଥିଲେ ବି ନେତାଙ୍କୁ କିଛି ଫରକ ପଡ଼ୁ ନାହିଁ । ତେଣୁ ନୀତି ଆୟୋଗର ସଦସ୍ୟ ଭି.କେ ପଲ ରାଜନୈତିକ ରାଲି ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ତେବେ ରାଜନୈତିକ ଶୋଭାଯାତ୍ରାରେ ବଡ଼ ବଡ ଜନ ସମାବେଶ କିଛି ନୂଆ କଥା ନୁହେଁ, ହେଲେ ଯେଉଁ ପରିସ୍ଥିତିରେ ଏସବୁ ହେଉଛି, ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଦେଶରେ କରୋନାର ଭୟ ଭିତରେ କିପରି ହେବ ନିର୍ବାଚନ? ଏସବୁ ପ୍ରଶ୍ନ ଭିତରେ ନୀତି ଆୟୋଗ ସଦସ୍ୟ ଭି. କେ ପଲ ଯେଉଁ କଥା କହିଛନ୍ତି, ତାହା ବେଶ ଗୁରୁତ୍ୱପୂର୍ଣ୍ଣ ।

ନିର୍ବାଚନ ଆୟୋଗଙ୍କ ସହ ଏକ ବୈଠକରେ ପଲ୍ କହିଛନ୍ତି, ଏବେ ଦେଶରେ ସଂକ୍ରମଣ ସ୍ଥିତିରେ ବଡ଼ ରାଲି ଓ ଶୋଭାଯାତ୍ରା ଠିକ୍ ନୁହେଁ, ତେଣୁ ଏସବୁକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ । ହେଲେ ନିର୍ବାଚନ କମିଶନ ରାଜନୈତିକ ଦଳଙ୍କୁ ଏପରି କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । ବିଡ଼ମ୍ବନାର କଥା ହେଲା ନିଜ ଭାଷଣରେ ସବୁବେଳେ ସାମାଜିକ ଦୂରତା ଓ ମାସ୍କର ପରାମର୍ଶ ଦେଉଥିବା ରାଜନେତାମାନେ ଯେମିତି ଆଖିବୁଜି ଦେଉଛନ୍ତି । ସେମାନଙ୍କୁ ଗାଦି ଦଖଲ ମୋହ ଏତେ ଘାରିଛି ଯେ, ରାଲି ଓ ଶୋଭାଯାତ୍ରା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ କେତେ ବିପଦକୁ ଠେଲି ହୋଇଯାଉଛି, ତାହା ବୁଝିବାକୁ ନାରାଜ ।

ନିର୍ବାଚନ ରାଲି ବନ୍ଦ କରିବା ସହ ନିର୍ବାଚନ ଘୁଞ୍ଚାଇବା ନେଇ ବିଚାର କରିବାକୁ ପୂର୍ବରୁ ଉତ୍ତରାଖଣ୍ଡ ଓ ଆହ୍ଲାବାଦ ହାଇକୋର୍ଟ ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ କହିସାରିଛନ୍ତି । ଏପରିକି ଭର୍ଚୁଆଲ ରାଲି ଓ ଅନଲାଇନ୍ ଭୋଟିଂ ହୋଇପାରିବ କି ନାହିଁ, ସେନେଇ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । ଜାନୁଆରୀ ୧୨ ତାରିଖ ସୁଦ୍ଧା ଏହା ଉପରେ ପ୍ରତିକ୍ରିୟା ଦାଖଲ କରିବାକୁ ଇସିଆଇଙ୍କୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ନିର୍ବାଚନ । ସେହିପରି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଚାଲିଛି । ହେଲେ ଲୋକ ସୁରକ୍ଷିତ ରହିଲେ ତ ଯାଇ ଭୋଟ ଦେବେ, ଏକଥା ବୁଝିବାକୁ ଯେମିତି ରାଜନୈତିକ ଦଳମାନଙ୍କ ସ୍ପୃହା ନାହିଁ ।