ଦେଶର ବିଧାୟକଙ୍କ ପାଖରେ ରହିଛି କେତେ ସମ୍ପତ୍ତି ? ଏଡିଆର ରିପୋର୍ଟକୁ ନେଇ ଜୋରଦାର ଚର୍ଚ୍ଚା

148

କନକ ବ୍ୟୁରୋ : ଦେଶର ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ରହିଛି । ବର୍ତ୍ତମାନ ଦେଶର ବିଧାୟକଙ୍କ ସମ୍ପତ୍ତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର୍ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ, ମୋଟ ୪ହଜାର ୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪ହଜାର ୫୪୫ କୋଟି ଟଙ୍କା । ଯାହା ନାଗାଲାଣ୍ଡ, ମିଜୋରାମ ଓ ସିକ୍କିମର ୨୦୨୩-୨୪ ମିଳିତ ବଜେଟ୍ ଠାରୁ ଅଧିକ । ଏହି ତିନି ରାଜ୍ୟର ମୋଟ ବଜେଟ୍ ପରିମାଣ ୪୯ହଜାର ୧୦୩ କୋଟି ଟଙ୍କା । ଏହି ବିଧାୟକଙ୍କ ମଧ୍ୟରୁ ବିଜେପି ବିଧାୟକଙ୍କର ସର୍ବାଧିକ ସମ୍ପତ୍ତି ରହିଛି ।

ବିଜେପିର ୧୩୫୬ ଜଣ ବିଧାୟକଙ୍କ ପାଖରେ ମୋଟ ୧୬ହଜାର ୨୩୪ କୋଟି ଟଙ୍କା ରହିଛି । ସେହିପରି ୭୧୯ କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ୧୫ହଜାର ୭୯୮ କୋଟି ଟଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ କୁହାଯାଇଛି, ମୋଟ ୪ହଜାର ୩୩ ବିଧାୟକଙ୍କ ମଧ୍ୟରୁ ୪ହଜାର ୧ ସମ୍ପତ୍ତି ତାଲିକାକୁ ସାମିଲ କରାଯାଇଛି । ରିପୋର୍ଟରେ କୁହାଯାଇଛି, ବିଜେପି ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୱାଇଏସଆରସିପିର ୧୪୬ ବିଧାୟକଙ୍କ ସମ୍ପତ୍ତି ୩ହଜାର ୩୭୯ କୋଟି ଟଙ୍କା ରହିଛି ।

ସେହିପରି ଡିଏମକେର ୧୩୧ ବିଧାୟକଙ୍କ ପାଖରେ ୧ହଜାର ୬୬୩ କୋଟି ଟଙ୍କାର ସମ୍ପତ୍ତି, ଆମ୍ ଆଦମୀ ପାର୍ଟିର ୧୬୧ ବିଧାୟକଙ୍କ ପାଖରେ ୧ହଜାର ୬୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ରିପୋର୍ଟରେ ୮୪ ରାଜନୈତିକ ଦଳ ଓ ସ୍ୱାଧୀନ ବିଧାୟକଙ୍କର ସମ୍ପତ୍ତି ଉଲ୍ଲେଖ ହୋଇଛି । ତେବେ ପ୍ରତି ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୩ କୋଟି ୬୩ ଲକ୍ଷ ଟଙ୍କା ।