କହୁ କହୁ ଗହନ କଥା କହିଦେଲେ ମନ୍ତ୍ରୀ? ରାଜନୀତିକୁ ଦୋହଲାଇ ଦେଲା ଗୃହ ରାଷ୍ଟ୍ରମନ୍ତ୍ରୀ ବୟାନ୍

211

କନକ ବ୍ୟୁରୋ: ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଏହି ବୟାନ ଏବେ ଏକ ବଡ଼ ବିତର୍କ ସୃଷ୍ଟି କରିଛି । ନିଜେ ଆଇନଶୃଙ୍ଖଳା ଦାୟୀତ୍ୱରେ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ, ଆଇନର ଗଳାବାଟ ଦେଇ କିଭଳି କ୍ଷତିପୂରଣ ଟଙ୍କା ବାଟମାରଣା ହେଉଛି ତାହା କ୍ୟାମେରା ଆଗରେ କହିଛନ୍ତି । ସେ କହିଛନ୍ତି- ପୀଡ଼ିତଙ୍କ ସହାୟତା ଟଙ୍କା ବାଟମାରଣା ହେଉଛି । ଏହା ପଛରେ ଅସାଧୁ ପୁଲିସ ଓ ଆଇନଜୀବୀଙ୍କ ହାତ ରହିଛି ଏବଂ ସେମାନଙ୍କ ମଧ୍ୟରେ ଅସାଧୁ ମେଂଟ ରହିଛି । ‘ସାକାର’ ଯୋଜନା ମାଧ୍ୟମରେ ପୀଡ଼ିତଙ୍କୁ ସହାୟତା ଯୋଗାଉଥିବା ବେଳେ ଏହି ଅସାଧୁ ମେଂଟ, ମିଛ ମାମଲାକୁ ସତ କରି ସରକାରୀ ସହାୟତାର ଲାଭ ଉଠାଉଛନ୍ତି । ଫଳରେ ନିର୍ଦ୍ଦୋଷ ବ୍ୟକ୍ତି ମାମଲାରେ ଛନ୍ଦି ହେଉଛନ୍ତି । ଅଧିକାଂଶ ଆଟ୍ରୋସିଟି ମାମଲାରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିବା ମଧ୍ୟ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏହି ବୟାନ, ବିରୋଧୀଙ୍କୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ଏକ ସୁଯୋଗ ଆଣି ଦେଇଛି । ରାଜ୍ୟ ସରକାର ଦଳିତ ଓ ଆଦିବାସୀ ବିରୋଧୀ । ମନ୍ତ୍ରୀଙ୍କ ମନ୍ତବ୍ୟ ଦଳିତ ଓ ଆଦିବାସୀଙ୍କ ପ୍ରତି ଅପମାନ ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ସମସ୍ତ ପୁଲିସ କର୍ମଚାରୀ କାମ କରୁଛନ୍ତି । ଗୃହମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ପ୍ରମାଣିତ କରୁଛି ଯେ, ଓଡ଼ିଶା ପୁଲିସ ଉପରେ ମମନ୍ତ୍ରୀଙ୍କ ଭରସା ନାହିଁ ବୋଲି ବିରୋଧୀ ଅଭିଯୋଗ କରିଛି ।

ଏପଟେ ଆଇନଜୀବୀ ଏବଂ ପୁଲିସ୍ କର୍ମଚାରୀଙ୍କ ଉପରେ ମନ୍ତ୍ରୀ ରଖିଥିବା ମତକୁ ସହଜରେ ଗ୍ରହଣ କରି ନାହାଁନ୍ତି ଆଇନଜୀବୀ ଏବଂ ପୁଲିସ ଅଧିକାରୀ । ସେମାନଙ୍କ ମନ୍ତ୍ରୀ ତୁଷାରକାନ୍ତିଙ୍କ ମତ ସହ ଏକମତ ନଥିବା କହିଛନ୍ତି ।

ତେବେ ଓଡ଼ିଶାରେ ଆଇନଶୃଙ୍ଖଳା ଉପରେ ବିଶ୍ୱାସ ଥିବାରୁ ପୀଡ଼ିତମାନେ ସାହସ କରି ଅଭିଯୋଗ କରୁଛନ୍ତି । ଯାହା ଅନ୍ୟରାଜ୍ୟରେ ଦେଖିବାକୁ ମିଳୁନାହିଁ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ।