ବିଜେପି ସାଂସଦଙ୍କ ସାଂଘାତିକ ଅଭିଯୋଗ: ଖଣି ଦୁର୍ନୀତିକୁ ମାନିଛନ୍ତି ରାଜ୍ୟ ସରକାର

585

କନକ ବ୍ୟୁରୋ: ରାଜ୍ୟର ଖଣି ଦୁର୍ନୀତିକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରାଉ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରେସମିଟରେ କହିଛନ୍ତି ଖଣି ଦୁର୍ନୀତିକୁ ମାନିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲେଖିଥିବା ଚିଠିକୁ ଦେଖାଇ ଏହି ଅଭିଯୋଗ ଆଣିଛନ୍ତି ଅପରାଜିତା । ଏ ହେଉଛି ସେହି ଚିଠି । ଯେଉଁଥିରେ ସାଂସଦ ଓଡିଶାର ଖଣି ଦୁର୍ନୀତିକୁ ନେଇ ସଂସଦରେ ଉଠାଇଥିବା ପ୍ରଶ୍ନର ଉତର ଦିଆଯାଇଛି । ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ ଚିଠିରେ ସଂସଦୀୟ ବ୍ୟାପର ମନ୍ତ୍ରୀ ଉତର ଦେଇଥିବା କହି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ । ଚିଠିକୁ ଦେଖାଇ ଅପରାଜିତା କହିଛନ୍ତି

– ୨୦୨୧-୨୨ ଖଣି ନିଲାମରେ ଉଚ୍ଚମାନର ଲୁହା ପଥରକୁ ନିମ୍ନମାନର ଦର୍ଶା ଯାଇଛି ।
– ଫଳରେ ରାଜ୍ୟ ରାଜକୋଷ ହଜାର ହଜାର କୋଟିର କ୍ଷତି ସହିଛି ଏ
– ଡିଷ୍ଟ୍ରିକ ମିନେରାଲ ଫଣ୍ଡବା ଡିଏମଏଫକୁ ଯେତିକି ଟଙ୍କା ଆସିବା କଥା ଆସୁ ନାହିଁ
– ବେସରକାରୀ ଖଣିରେ ଦୁର୍ନୀତି ହୋଇଥିବା କେନ୍ଦ୍ର ଆଗରେ ମାନିଛନ୍ତି ରାଜ୍ୟ ସରକାର
– ଖଣିରେ ହୋଇଥିବା ଅନିୟମିତତା ସଂପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବହୁବାର ସଂସଦରେ ଓଡିଶାର ଖଣି ଚୋରି ପ୍ରସଙ୍ଗ ଉଠାଇଛନ୍ତି । ଏବେ କେନ୍ଦ୍ର ଖଣିମନ୍ତ୍ରୀଙ୍କ ଚିଠି ଆସିବା ପରେ ସେ ରାଜ୍ୟ ସରକାରଙ୍କୁ ଖଣି ଅନିୟମିତତାକୁ ନେଇ ଏକାଧିକ ପ୍ରଶ୍ନ କରିଛନ୍ତି ।

– ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇବାରୁ କେତେ ରାଜସ୍ୱ କମିଲା?
– ଦୀର୍ଘ ୮ମାସ ଧରି ହୋଇଥିବା ରାଜସ୍ୱ କ୍ଷତିକୁ ସାର୍ବଜନୀନ କରାଯାଉ
– ଖଣି ଦୁର୍ନୀତିର ଅର୍ଥ କାହା ପାଖକୁ ଯାଉଛି?
– ଦୁର୍ନୀତି ରୋକିବାକୁ ସରକାର କଣ ପଦକ୍ଷେପ ନେଇଛନ୍ତି?
– ଆଗକୁ ଦୁର୍ନୀତି, ଭ୍ରଷ୍ଟାଚାର ହେବ ନାହିଁ ବୋଲି ସରକାର ଗ୍ୟାରେଂଟି ଦେବେ କି?

ଏଥିସହ ଖଣି ଅଂଚଳରେ ଆନ୍ଦୋଳନ ହେଲେ ରାଜ୍ୟ ସରକାର ଦାୟୀ ରହିବେ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସେପଟେ ବିଜେଡି ଜବାବ ଦେଇ କହିଛି, ସାଂସଦଙ୍କ ପାଖରେ ଯଦି ତଥ୍ୟ ଅଛି ତେବେ ଦିଅନ୍ତୁ । କେବଳ ଅଭିଯୋଗ ଆଣିବା ପାଇଁ ରାଜ୍ୟ ସରକାରଙ୍କ ନାଁରେ ଏଭଳି ଅଭିଯୋଗ ଆଣନ୍ତୁ ନାହିଁ ।

ଆଗାମୀ ଦିନରେ କେନ୍ଦୁଝର, ରାୟଗଡା, ସୁନ୍ଦରଗଡ, ଏବଂ ଯାଜପୁର ଅଂଚଳର ଲୋକଙ୍କ ସହ ଖଣି ଅଂଚଳ ପରିଦର୍ଶନ କରିବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।