ଗୃହ ବିଭାଗର ଶ୍ୱେତପତ୍ର : ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି

90

କନକ ବ୍ୟୁରୋ : ୨୦୨୧ରେ ରାଜ୍ୟରେ ଅପରାଧ ସ୍ଥିତି ନେଇ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ଶ୍ୱେତପତ୍ର । ରାଜ୍ୟରେ ୨୦୨୧ରେ ୧ ଲକ୍ଷ ୫୫ହଜାର ୪୨୦ଟି ଅପରାଧ ଘଟିଥିବା ଏହି ଶ୍ୱେତପତ୍ରରେ ଉଲ୍ଲେଖ ହୋଇଛି । ସେଥିମଧ୍ୟରୁ ୧ହଜାର ୩୯୪ଟି ହତ୍ୟାକାଣ୍ଡ ଘଟିଛି । ୨୦୨୧ରେ ୩ହଜାର ୩୨୭ ଦୁଷ୍କର୍ମ ଘଟିଥିବା ବେଳେ ୪ହଜାର ୯୫ଟି ନିର୍ଯାତନା ମାମଲା ରୁଜୁ ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ସେହିପରି ୫୨୨ଟି ଡକାୟତି, ୫ହଜାର ୧୩୩ଟି ସିନ୍ଧି ଚୋରି, ୨ହଜାର ୮୨୬ ଲୁଣ୍ଠନ, ୯୩ଟି ମାନବ ଚାଲାଣ ଅପରାଧ ଘଟିଥିବା ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ହୋଇଛି । ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ପାଇଁ ରାଜଧାନୀରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପ୍ରତିଷ୍ଠା କରାଯାଇଛି ।

ସୂଚନାଯୋଗ୍ୟ ଯେ ୨୦୨୦ରେ ଧର୍ତ୍ତବ୍ୟ ଅପରାଧ ମାମଲା ସଂଖ୍ୟା ଥିଲା ୧,୩୪,୨୩୦। ଯୌତୁକ ଜନିତ ମାମଲା ମଧ୍ୟ ଚିନ୍ତାଜନକ ରହିଛି। ୨୦୨୦ରେ ୪୦୮୮ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୫୦୮୦ ରହିଛି। ଏହା ମଧ୍ୟରୁ ୩୭୦୭ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ୨୯୮ଟି ଯୌତୁକ ଜନିତ ହତ୍ୟା ମାମଲା ମଧ୍ୟରୁ ୧୮୧ଟିରେ ଚାର୍ଜସିଟ୍‌ ଦାଖଲ ହୋଇଛି। ୧୨୯ଟି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି। ୨୦୨୦ ତୁଳନାରେ ରାଜ୍ୟରେ ଲୁଣ୍ଠନ ମାମଲା ମଧ୍ୟ ବଢ଼ିଛି। ୨୦୨୧ରେ ୨୦୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ତାହା ମଧ୍ୟରୁ ୩୦୭ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଏହି ମାମଲାଗୁଡ଼ିକରେ ୫୪୨ ଜଣ ଅପରାଧୀ ସଂପୃକ୍ତ ଥିଲା ବେଳେ ୪୨୫ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି ।

ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଶ୍ବେତପତ୍ରରେ କୁହାଯାଇଛି, ୨୦୨୧ରେ ମାଓ କାର୍ଯ୍ୟକଳାପ ସାମଗ୍ରିକ ଭାବେ ନିୟନ୍ତ୍ରଣାଧୀନ ଅଛି। ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ମଧ୍ୟରୁ ପ୍ରଭାବୀ ଢଙ୍ଗରେ ପୁଲିସ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଯୋଗୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଓ କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଜିଲ୍ଲା ସମେତ ଅଧିକାଂଶ ଅଞ୍ଚଳର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏହି ବର୍ଷ ମାଓବାଦୀମାନଙ୍କ ସହିତ ସଂଗଠିତ ୨୧ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ୍‌ ୨୮ଟି ଘଟଣା ଘଟିଥିଲା। ଏଥିରେ ଦୁଇ ଜଣ ସାଧାରଣ ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇଥିଲା ଓ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ପୁଲିସ ସହ ପୃଥକ ପୃଥକ ଗୁଳି ବିନିମୟ ଘଟଣାରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୬ ଜଣଙ୍କୁ ଗିରଫ କରାଯାଇଥିଲା । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ ।