ରାଞ୍ଚିରେ ହରିୟାଣା ଘଟଣାର ପୁନରାବୃତ୍ତି ।  ଚେକିଙ୍ଗ ବେଳେ ପୋଲିସ ଅଧିକାରୀଙ୍କୁ ଗାଡି ଚଢାଇ ହତ୍ୟା । 

162

କନକ ବ୍ୟୁରୋ: ହରିୟାଣା ନୁହ ଜିଲ୍ଲାରେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଖଣି ମାଫିଆ ଗାଡି ଚଢାଇ ହତ୍ୟା ଘଟଣା ପରେ ଏବେ ରାଞ୍ଚିରେ ଠିକ ଏପରି ଏକ ଅଘଟଣ ଘଟିଛି । ରାଞ୍ଚି  ତୁପୁଦାନା ଇଲାକାରେ ଗାଡି ଯାଞ୍ଚ କରୁଥିବା ସମୟରେ ଜଣେ ପୋଲିସ ଅଧିକାରୀ ସନ୍ଧ୍ୟା ଟୋପୋନୋଙ୍କୁ ଗାଡି ମଡାଇ ହତ୍ୟା କରିଥିବା ଘଟଣା ସାରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଜି ଭୋର ୩ଟା ସମୟରେ ଏପରି ଅଘଟଣ ଘଟିଛି ।

ସୂଚନା ମୁତାବକ, ୨୦୧୮ ବ୍ୟାଚର ପୋଲିସ ଏସଆଇ ସନ୍ଧ୍ୟା ଟୋପୋନୋ ଗାଡି  ଚେକିଙ୍ଗ କରିବା ଡ୍ୟୁଟିରେ ଥିଲେ । ଏହି ସମୟରେ ଏକ ପିକଅପ୍ ଭ୍ୟାନକୁ ଅଟକିବାକୁ ଇସାରା ଦେଇଥିଲେ । କିନ୍ତୁ ପିକଅପ ଭ୍ୟାନ ଡ୍ରାଇଭର ରୋକିବା ବଦଳରେ ଗାଡି ସ୍ପିଡକୁ ଅଚାନକ ବଢାଇଦେଇଥିଲା ଓ ଏସଆଇ ସନ୍ଧ୍ୟାଙ୍କ ଉପରେ ଚଢାଇଦେଇଥିଲା  । ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ଘଟଣାସ୍ଥଳରେ ହିଁ ଏସଆଇ ସନ୍ଧ୍ୟାଙ୍କର ମୃତ୍ୟୁ ହୋଇଛି ।

ଖବର ପାଇ ଥାନା ପ୍ରଭାରୀଙ୍କ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧ୍ୟାଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛନ୍ତି । ଏହାସହ ଅଭିଯୁକ୍ତ ଚାଳକକୁ ଖୋଜିବା ଆରମ୍ଭ କରିଛି, ଆଖାପାଖର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି  । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରଯାଇ କଠୋର ଶାସ୍ତି ଦେବାକୁ ବିଭାଗ ପକ୍ଷରୁ ଦାବି ହୋଇଛି ।