ଖୁବଶୀଘ୍ର ସ୍ୱୟଂଚାଳିତ ହେବ ହୀରାକୁଦ ଡ୍ୟାମ : ଜଳ ସମ୍ପଦ ସଚିବଙ୍କ ସୂଚନା,୨୪ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ବଢିବ ଜଳଧାରଣ କ୍ଷମତା

123

କନକ ବ୍ୟୁରୋ : ଖୁବଶୀଘ୍ର ସ୍ୱୟଂଚାଳିତ ହେବ ହୀରାକୁଦ ଡ୍ୟାମ । ଏନେଇ ସିଡବ୍ଲୁସି ଓ ୱାର୍ଲ୍ଡ ବ୍ୟାଙ୍କ ପ୍ରତିନିଧି ଆସି ସର୍ଭେ କରିଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା । ହୀରାକୁଦ ଡ୍ୟାମ ସ୍ୱୟଂଚାଳିତ ହେବା ଦ୍ୱାରା ଭୁବନେଶ୍ୱରରେ ବସି ଡ୍ୟାମକୁ ପରିଚାଳନା କରିହେବ । ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ବୃଦ୍ଧି କରାଯିବ । ୧୫ଲକ୍ଷ କ୍ୟୁସେକ ଜଳଧାରଣ କରୁଥିବା ହୀରାକୁଦ ଡ୍ୟାମର ଧାର୍ଯ୍ୟ କ୍ଷମତାକୁ ୨୪ଲକ୍ଷ କରାଯିବ ବୋଲି ଜଳସମ୍ପଦ ସଚିବ ସୂଚନା ଦେଇଛନ୍ତି । ଏବଂ ଏନେଇ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଛି ।

ଅନ୍ୟପଟେ ହୀରାକୁଦ ବନ୍ଧ ପ୍ରତି କୌଣସି ବିପଦ ନାହିଁ, ଯଦି ଏହାର ସଠିକ ରକ୍ଷଣାବେକ୍ଷଣ କରାଯାଏ ଏହା ବହୁତ ବର୍ଷ ଧରି କାର୍ଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ର ଜଳସମ୍ପଦ ସଚିବ ୟୁପି ସିଂ । ଭୁବନେଶ୍ୱରରେ ଆୟୋଜିତ ଅନ୍ତର୍ଜାତୀୟ ନଦୀବନ୍ଧ ସୁରକ୍ଷା ସମ୍ମିଳନୀରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳସଂପଦ ସଚିବ। ଏହି ସମ୍ମିଳନୀରେ ବିଶେଷଜ୍ଞମାନେ ନିଜର ମତ ରଖି କହିଛନ୍ତି ଯେ ହୀରାକୁଦ ଡ୍ୟାମକୁ ନେଇ ଯେଉଁ ଭୟ ରହିଥିଲା ସେ ଭୟର ଆଉ କୌଣସି ଆବଶ୍ୟକତା ନାହିଁ ।