ଅନ୍ଧବିଶ୍ୱାସର ଅନ୍ଧଗଳି : ସାପ କାମୁଡ଼ିଲା, ଡାକ୍ତରଖାନା ନଯାଇ ମନ୍ଦିରରେ ଅଧିଆ ପଡ଼ିଲେ

731

କନକ ବ୍ୟୁରୋ : ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ । ବିଷଧର ସାପ କାମୁଡ଼ା ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ମେଡ଼ିକାଲ ନଯାଇ ମନ୍ଦିରରେ ଅଧିଆ ପଡ଼ିଛନ୍ତି ଜଣେ ବ୍ୟକ୍ତି । ଏପରିକି ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ମେଡ଼ିକାଲ ନେବାପାଇଁ ଆମ୍ବୁଲାନ୍ସ ଆସିଥିବା ବେଳେ ଏହାକୁ ଫେରାଇ ଦେଇଛନ୍ତି ପରିବାର ଲୋକେ । ଏଭଳି ଅନ୍ଧ ବିଶ୍ୱାସ ଘଟଣା ଯାଜପୁର କୋରେଇ ବ୍ଲକ ଅସନଝର ଗାଁରେ ଦେଖିବାକୁ ମିଳିଛି । ଗାଁର ରମାକାନ୍ତ ନାୟକ ବିଲକୁ ଯାଇଥିବା ବେଳେ ସାପକାମୁଡ଼ାର ଶିକାର ହୋଇଥିଲେ । କିନ୍ତୁ ପରିବାର ଲୋକ ତାଙ୍କୁ ମେଡ଼ିକାଲ ନେବା ପରିବର୍ତ୍ତେ ମନ୍ଦିରରେ ପକାଇଥିବା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି ।

ସାପ କାମୁଡ଼ିଥିବା ବ୍ୟକ୍ତି ଜଣକ ଯନ୍ତ୍ରଣାରେ ମନ୍ଦିର ବେଢାରେ ଛଟପଟ ହେଉଛନ୍ତି । ଆଉ ତାଙ୍କୁ ଭଲ କରିବା କାମନାରେ ମନ୍ଦିରରେ ଚାଲିଛି ଭଜନ କୀର୍ତ୍ତନ । ଏପରିକି ସାପ କାମୁଡ଼ିଥିବା ରମାକାନ୍ତଙ୍କ ପତ୍ନୀ ମଧ୍ୟ ମନ୍ଦିରରେ ଅଧିଆ ପଡ଼ିଛନ୍ତି । ଡ଼ାକ୍ତରଙ୍କୁ ଦେଖାଇ ଚିକିତ୍ସ କରିବା ପରିବର୍ତ୍ତେ ଗାଁ ଆଖଣ୍ଡଳମଣିଙ୍କ ଶରଣ ପଶିଛନ୍ତି ପୂରା ପରିବାର । ତେବେ ଅନ୍ଧବିଶ୍ୱାସ ହେଉ କିମ୍ବା ଭଗବାନଙ୍କ ପ୍ରତି ବିଶ୍ୱାସ ହେଉ ସାପ କାମୁଡ଼ିଥିବା ବ୍ୟକ୍ତି ମନ୍ଦିରରେ ପଡ଼ିରହିବା କେତେଦୂର ଯୁକ୍ତିଯୁକ୍ତ । ଯଦି କୌଣସି କାରଣରୁ ଏହି ବ୍ୟକ୍ତିଙ୍କର କିଛି କ୍ଷତି ହୁଏ ତେବେ ଏଠାରେ କିଏ ହେବ ଦାୟୀ !