କଟିଲା ହେଭିୱେଟଙ୍କ ଟିକେଟ: ବାଦ ପଡିଲେ ଅମର ଓ ଶଶୀଭୂଷଣ

560

କନକ ବ୍ୟୁରୋ: ହେଭିୱେଟଙ୍କ ଟିକେଟ୍ । ବର୍ତମାନର ୫ ବିଧାୟକଙ୍କ ସହ ବିଜେଡିରୁ ନିଲମ୍ବିତ ସୁଧାଂଶୁ ପରିଡାଙ୍କ ଟିକେଟ୍ କଟିଛି । ଏମାନଙ୍କ ସ୍ଥାନରେ ୬ ନୂଆ ମୁହଁକୁ ମିଳିଛି ସୁଯୋଗ । ଆଜି ବିଜେଡି ତାର ଷଷ୍ଠ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ୪ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି । ଏପର୍ଯ୍ୟନ୍ତ ସମସ୍ତ ଲୋକସଭା ଓ ୧୩୫ଟି ବିଧାନସଭାରେ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଆଉ ୧୨ଟି ଆସନରେ ଟିକେଟ୍ ଘୋଷଣା ବାକି ରହିଛି ।

ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୫ ବିଧାୟକଙ୍କ ଟିକେଟ କାଟି ବିଜେଡି ବିଗ୍ ସରପ୍ରାଇଜ ଦେଇଛି । ୫ ବିଧାୟକଙ୍କ ମଧ୍ୟରେ ଅଛନ୍ତି ଦୁଇ ହେଭିୱେଟ ବଡଚଣାର ଅମର ଶତପଥୀ ଓ କେନ୍ଦ୍ରପଡାର ଶଶୀଭୂଷଣ ବେହେରା । ଏମାନଙ୍କ ସ୍ଥାନରେ ବର୍ଷା ପ୍ରିୟଦର୍ଶିନୀ ଓ ଗଣେଶ୍ୱର ବେହେରା ପ୍ରାର୍ଥୀ ହୋଇଛନ୍ତି । ସବୁଠାରୁ ବଡ ଧକ୍କା ଲାଗିଛି ବଡଚଣାର ୬-୬ ଥର ବିଧାୟକ ଅମର ଶତପଥୀଙ୍କୁ ।

-ଅମର ଶତପଥୀ ୧୯୯୦ରେ ଜନତାଦଳରୁ ବିଧାୟକ ହୋଇଥିଲେ
-୧୯୯୫, ୨୦୦୦,୨୦୦୯, ୨୦୧୪ ଓ ୨୦୧୯ରେ ବି ଜିତିଥିଲେ

କିନ୍ତୁ ହଠାତ ଟିକେଟ କଟିବା ଅମର ଶତପଥୀଙ୍କୁ ଶକ୍ତ ଝଟକା ଦେଇଛି । ଆଉ ଟିକେଟ କଟିବା ପରେ ଭୁବନେଶ୍ୱର ଅମର ଶତପଥୀଙ୍କ ଘରେ ସମର୍ଥକ ଏକାଠି ହୋଇଛନ୍ତି । ସେହିଭଳି କେନ୍ଦ୍ରପଡାରୁ ବି ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଟିକେଟ କଟିଛି । କିଛି ଦିନ ତଳେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଗଣେଶ୍ୱର ବେହେରା ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଗଣେଶ୍ୱର ବିଜେଡିରେ ମିଶିବା ପରେ ହିଁ କେନ୍ଦ୍ରପଡାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । କେନ୍ଦ୍ରାପଡା ବିଧାନସଭା ଆସନରେ କେବେ ବି ପ୍ରାର୍ଥୀ ରିପିଟ କରିନାହଁ ବିଜେଡି । ୨୦୦୯ରେ ସିପ୍ରା ମଲ୍ଲିକ, ୨୦୧୪ରେ କିଶୋର ତରାଇ ଓ ୨୦୧୯ରେ ଶଶୀଭୂଷଣ ବେହେରା ଟିକେଟ ପାଇଥିଲେ । ଆଉ ଏହାକୁ ଆଧାରକୁ ନେଲେ ବିଜେଡିର ପ୍ରାର୍ଥୀ ପରିବର୍ତ୍ତନ କରିଛି ।

କେନ୍ଦ୍ରପଡା ବିଧାନସଭା ଆସନରେ ଏଥର ରୋଚକ ଲଢେଇ ହେବା ଆଶା କରାଯାଉଛି । ବିଜେଡିର ଟିକେଟ ଆଶାୟୀଙ୍କ ଭୂମିକା ଉପରେ ନଜର ରହିଛି । ଏହାଛଡା ବିଜେଡି ଛାଡିଥିବା ସିପ୍ରା ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି ।

କେବଳ ଏହି ଦୁଇଜଣ ନୁହନ୍ତି ସିମୁଳିଆରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବଦଳରେ ସୁଭାଶିନୀ ସାହୁଙ୍କୁ ଟିକେଟ ମିଳିଛି । ସେହିପରି ଆନନ୍ଦପୁରରୁ ବିଧାୟକ ଭାଗିରଥୀ ସେଠୀଙ୍କ ଟିକେଟ କାଟି ତାଙ୍କ ସ୍ଥାନରେ ଅଭିମନ୍ୟୁ ସେଠୀଙ୍କ ଉପରେ ଭରସା କରିଛି ଦଳ । ଗତ ନିର୍ବାଚନରେ ଭାଗରଥୀ ସେଠୀ ବିଜେପିରୁ ଟିକେଟ ପାଇଥିଲେ । କିନ୍ତୁ ଅଚାନକ ଦଳ ପରିବର୍ତ୍ତନ କରି ବିଜେଡି ଟିକେଟ ନେଇ ବିଧାୟକ ବି ହୋଇଥିଲେ । ଯାହା ସେତେବଳେ ଚର୍ଚ୍ଚାର ବିଷୟ ହୋଇଥିଲା । ସେହିଭଳି ଚମ୍ପୁଆରୁ ବିଧାୟକ ମୀନାକ୍ଷୀ ମହନ୍ତଙ୍କ ଟିକେଟ କଟିଛି । ତାଙ୍କ ବଦଳରେ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ କଟିବା ପରେ ଶଶୀଭୂଷଣ ବେହେରା, ଅମର ଶତପଥୀ ଓ ଜ୍ୟୋତି ପ୍ରାଣିଗ୍ରାହୀଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା ।