କଟକ ସିଟି ଷ୍ଟାଇଲ ସପିଂମଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଶହେ ଅଗ୍ନିଶମ କର୍ମଚାରୀଙ୍କ ସମେତ ଓଡ୍ରାଫ ଟିମ ସାମିଲ

78

କନକ ବ୍ୟୁରୋ : କଟକର ବାଦାମବାଡିରେ ଥିବା ସିଟି ଷ୍ଟାଇଲ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅଗ୍ନିକାରଣ୍ଡର କାରଣ ସର୍ଟ ସର୍କିଟ ବୋଲି ଜଣାପଡିଛି । କ୍ଷଣିକ ମଧ୍ୟରେ ଅନେକ ଜିନିଷ ଜଳିପୋଡି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପଂହଚି ନିଆଁ ଲିଭାଇବା କାମ ଜାରି ରଖିଛନ୍ତି ।

ଏହା ସହରର ଅଗ୍ନିନିରୋଧ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ କଟକର ଜନଗହଳି ପୂର୍ଣ୍ଣ ସ୍ଥାନରେ ଘଟିଛି । କିଛିଦିନ ତଳେ ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ସପିଂ ମଲରେ ଚଢାଉ ହୋଇଥିଲା ।

କିପରି ମଲରେ ଲାଗିଲା ନିିଆଁ ? କମିଶନରେଟ ପୋଲିସ ପକ୍ଷରୁ ଯାଂଚ କରାଯାଇଥିଲା କି ? ଯଦି ଯାଂଚ ହୋଇଥିଲା ଅବ୍ୟବବସ୍ଥା ନେଇ ଜାଣିପାରିଲେ ନାହିଁ କିପରି ? ମୁମ୍ବାଇର ମଲରେ ନିଆଁ ଲାଗିବା ପରେ ସପିଂମଲ ମାଲିକ କି ପଦକ୍ଷେପ ନେଇଥିଲେ ? ମଲରେ ଅଗ୍ନିନିରୋଧକ ବ୍ୟବସ୍ଥା ସଠିକ ଭାବେ ଗ୍ରହଣ କରାଯାଇଥିଲା କି? କାହିଁକି ସତର୍କତାମୂଳକ ପଦକ୍ଷେପ ନିଆଯାଇନଥିଲା? ଏ ସମସ୍ତ ପ୍ରଶ୍ନ ଆଢୁଆଳରେ ରହିଯାଇଛି ମଲର ଅଗ୍ନିକାଣ୍ଡ।

କେବଳ ମଲ ମାଲିକ ପ୍ରଭାବିତ ହୋଇନାହାନ୍ତି । ଆଖପାଖରେ ଥିବା ଦଶଟି ଦୋକାନରେ ମଧ୍ୟ ନିଆଁ ଲାଗିଯାଇଛି । ପୋଡିଯାଇଛି କୋଟିଏ ଟଙ୍କାରୁ ଅଧିକ ଟଙ୍କାର ସମ୍ପତ୍ତି । ଜଳିଯାଇଛି ଅନେକ ଲୋକଙ୍କ ଜୀବିକାର ମାଧ୍ୟମ । କଟକରେ ଟ୍ରାଫିକ ଜାମ ହେବା ସହ ରାସ୍ତାଘାଟରେ ଲୋକଙ୍କ ଭିଜ ଜମିିବାରେ ଲାଗିଛି ।

ସବୁଆଡେ ପରିବେଶ ଧୂଆଁମୟ  । ନିଆଁର ପ୍ରକୋପ ଏତେ ଜୋର ରହିଛି ଯେ ୧୦୦ ଜଣ ଅଗ୍ନିଶମ କର୍ମଚାରୀ ଲଗାତାର ଚେଷ୍ଟା କରୁଛନ୍ତି । ପାଂଚଟି ଦମକଳବାହିନୀ ନିଆଁଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଂଚି ନିଆଁ ଲିଭା କାମରେ ସାହାଯ୍ୟ କରୁଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଲିଙ୍କ ରୋଡରୁ ବାଦାମବାଡ଼ି ବସଷ୍ଟାଣ୍ଡ ଯାଏଁ ଟ୍ରାଫିକ ଜାମ ହୋଇଯାଇଛି।

ପୁଣି ଅଶୁଭ ସାବ୍ୟସ୍ତ ହୋଇଛି ରବିବାର । ହଠାତ କଟକର ସପିଂ ମଲରେ ନିଆଁ ଲାଗିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଟକ ଭଳି ପୁରୁଣା ସହରରେ ପୋଲିସ ପ୍ରଶାସନର ତଦନ୍ତ ପ୍ରକ୍ରିୟାକୁ ନେଇ ଆଙ୍ଗୁଳି ଉଠାଇଛନ୍ତି ସାଧାରଣ ଜନତା । ତେବେ ଅଗ୍ନିକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ବି.କେ. ଶର୍ମା । ତଦନ୍ତ ପାଇଁ ତିନିଜଣିଆ ଟିମ ଗଠିତ ହୋଇଛି । ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ସହ ବଡ ବଡ ଅଟ୍ଟାଳିକାର ଘର, ସପିଂ ମଲ ଓ ହୋଟେଲ ଆଦି ନିର୍ମିତ ହେଉଛି । କୋଟି କୋଟି ଟଙ୍କା ଏଥିରେ ଖର୍ଚ୍ଚ ହେଉଛି । ହେଲେ ଏହାର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଣଦେଖା କରୁଛନ୍ତି ଲୋକେ । ଫଳରେ ହଠାତ୍ କୌଣସି ଅଗ୍ନିକାଣ୍ଡ ଘଟିଲେ , ତାର ପ୍ରତିକାର ତୁରନ୍ତ ନେଇହେଉନାହିଁ । ଅନେକ ଧନ ଜୀବନ ନଷ୍ଟ ହେଉଛି ।