କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି, ସୁରକ୍ଷା ବଳୟ ଭେଦ କଲେ ରାହୁଲଙ୍କ ପ୍ରଶଂସକ

82

କନକ ବ୍ୟୁରୋ : ମଙ୍ଗଳବାର ସକାଳ ସମୟ । ଶହ ଶହ ପ୍ରଶଂସକଙ୍କ ଭିତରେ ପଦଯାତ୍ରା କରୁଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାସ୍ତା ଦୁଇ ପାଶ୍ୱର୍ରେ ଥିବା ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରୁଥିଲେ ରାହୁଲ । ବେଶ ଉତ୍ସାହର ଚାଲୁଥିବା ସମୟରେ ହଠାତ ଏଭଳି ଏକ ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ବେଶ ଆଶ୍ଚଯ୍ୟ କରିଥିଲା । କଡ଼ା ସୁରକ୍ଷା ବଳୟ ଭେଦ କରି ଜଣେ ଯୁବକ ରାହୁଲଙ୍କ ନିକଟକୁ ଆସନ୍ତି ଓ ତାଙ୍କୁ ଆଲିଙ୍ଗନ କରନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଓ ସମର୍ଥକ ସେହି ଅଜଣା ଯୁବକଙ୍କୁ ରାହୁଲଙ୍କଠାରୁ ଠେଲି ଦିଅନ୍ତି ଓ ପୁଣି ସୁରୁଖୁରରେ ଚାଲେ ଯାତ୍ରା । କିଛି ସେକେଣ୍ଡର ଏହି ଭିଡିଓ ଯେତିକି ଭାଇରାଲ ହେଉଛି ସେତିକି ପ୍ରଶ୍ନ ମଧ୍ୟ ଉଠାଇଛି ।

ଭାରତ ଯୋଡ ଯାତ୍ରା କଂଗ୍ରେସର ସବୁଠୁ ବଡ ଯାତ୍ରା ଭିତରେ ଅନ୍ୟତମ । ତେଣୁ ରାହୁଲ ଗାନ୍ଧୀଙ୍କୁ ସବୁଠାରୁ ଅଧିକ ସୁରକ୍ଷା ଦିଆଯାଇଛି । ତ୍ରୀ-ସ୍ତରୀୟ ସୁରକ୍ଷା ଭିତରେ ପଂଜାବରେ ଚାଲିଛି ଭାରତଯୋଡ଼ ଯାତ୍ରା । ତେବେ ହୁସିଆରପୁରରେ ହୋଇଥିବା ଏହି ଘଟଣା ପରେ ରାହୁଲ ଗାନ୍ଧୀ ଏନେଇ ମତ ରଖିଛନ୍ତି । ସେ କହିଛନ୍ତି ,ଏହି ଘଟଣାରେ ତଦନ୍ତ ହୋଇସାରିଛି । ଏଥିରେ କୈାଣସି ସୁରକ୍ଷା ତ୍ରୁଟି ହୋଇନାହିଁ । ସେ ଯୁବକ ରାହୁଲଙ୍କୁ ଭେଟିବାକୁ ଆସିଥିବାବେଳେ ଖୁବ ଉତ୍ସାହିତ ହୋଇ ଆଲିଙ୍ଗନ କରିପକାଇଛନ୍ତି ।

ଯେଉଁ ସମୟରେ ଦିଲ୍ଲୀରେ ଭାରତ ଯୋଡ ଯାତ୍ରା ପ୍ରବେଶ କରିଥିଲା ସେହି ସମୟରେ ରାହୁଲଙ୍କ ସୁରକ୍ଷା ତ୍ରୁଟି ନେଇ ଅଭିଯୋଗ କରିଥିଲା କଂଗ୍ରେସ । କେନ୍ଦ୍ରଗୃହମନ୍ତ୍ରାଳୟକୁ ଏନେଇ ଚିଠି ମଧ୍ୟ ଲେଖିଥିଲା ଦଳ । ଏହା ଜବାବ ଦେଇ ଦିଲ୍ଲୀ ପୁଲିସ କହିଥିଲା ରାହୁଲଙ୍କୁ ଆବଶ୍ୟକ ଅନୁସାରେ ସୁରକ୍ଷା ଦିଆଯାଇଛି । କୌଣସି ତ୍ରୁଟି ପରିଲିକ୍ଷିତ ହୋଇନାହିଁ ।

କଂଗ୍ରେସର ଭାରତ ଯୋଡ ଯାତ୍ରା ପଂଜାବ ଦେଇ କିଛି ଦିନ ମଧ୍ୟରେ କଶ୍ମୀରରେ ପହଁଚିବ । ଏହା ପୂର୍ବରୁ ରାହୁଲଙ୍କ ସୁରକ୍ଷା ନେଇ ସୁରକ୍ଷା ଏଜେନ୍ସି ଆଲର୍ଟ କରିଛନ୍ତି । କଶ୍ମୀର କିଛି ସମ୍ବେଦନଶୀଳ ସ୍ଥାନରେ ପଦଯାତ୍ରା ନକରିବାକୁ କୁହାଯାଇଛି