ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ମାମଲା ରୁଜୁ : ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ

129

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସୋମାଲିକାଙ୍କ ଏତଲା ଆଧାରରେ ଜଗତସିଂହପୁର ଥାନା ପୋଲିସ ମାମଲା ରୁଜୁ କରିଛି । ଫଳରେ ବିଧାୟକଙ୍କ ପାଇଁ ପୁଣି ଅଡୁଆ ବଢିଛି । ସେହିପରି ବାନ୍ଧବୀ ସୋମାଲିକାଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି । ବିବାହର ପ୍ରତିଶ୍ରୁତି ଦେଇ କିପରି ବିଧାୟକ ଶାରିରୀକ ସମ୍ପର୍କ ରଖିଥିଲେ, କେମିତି ପ୍ରତାରଣା କରୁଥିଲେ ଓ ଧମକ ଦେଉଥିଲେ ସେ ନେଇ ସୋମାଲିକା ବୟାନ ରଖିଥିବା ଜଣାପଡ଼ିଛି ।

ପୂର୍ବରୁ ବିଜୟ ଶଙ୍କରଙ୍କ ବିରୋଧରେ ଜଗତସିଂହପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲା ଏବେ ତଦନ୍ତାଧୀନ ରହିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୟ ଶଙ୍କରଙ୍କ ବିରୋଧରେ ସାନି ମାମଲା ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସୋମାଲିକା ଦାଶଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏ ସମ୍ପର୍କରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କହିଛନ୍ତି ଯେ ଏଭଳି ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି । ଘଟଣା ସଂପର୍କରେ ଜାଣିବା ପରେ ଯାହା କିଛି ପ୍ରତିକ୍ରିୟା ରଖିବେ ।