ହରିୟାଣାରେ ମନୋହରଲାଲ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ବାଛିଲା ବିଜେପି। ସରକାର ଗଢିବାକୁ ଆଜି ରାଜ୍ୟପାଳଙ୍କୁ ଭେଟି ଜଣାଇବେ ଦାବି

କାଲି ହୋଇପାରେ ନୂଆ ସରକାରଙ୍କ ଶପଥ ଗ୍ରହଣ; ଜେଜେପିକୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ ଓ ମନ୍ତ୍ରୀମଣ୍ଡଳରେ ବଡ ଭାଗିଦାରୀ

158

କନକ ବ୍ୟୁରୋ: ମନୋହରଲାଲ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛି ବିଜେପି । ବିଧାୟକ ଦଳର ଏହି ନିଷ୍ପତି ପରେ ହରିୟାଣାରେ ପୁଣି ଥରେ ଖଟ୍ଟର ସରକାର ଚାଲିବା ସ୍ପଷ୍ଟ ହୋଇଯାଇଛି । ବିଧାନସଭା ନିର୍ବାଚନରେ ୪୦ ଆସନ ପାଇଥିବା ବିଜେପି , ଜନନାୟକ ଜନତା ପାର୍ଟି ସହିତ ମିଶି ସରକାର ଗଢିବାକୁ ଯାଉଛି । ତେବେ ଏହି ମେଂଟ ସରକାରରେ ଜେଜେପିକୁ ବି ବଡ ଭାଗ ଦେବାକୁ ଯାଉଛି ବିଜେପି । ୟୁପି ଫର୍ମୁଲାରେ ଦୁଇ ଜଣିଆ ଉପମୁଖ୍ୟମନ୍ତ୍ରୀ ଦେଖିବ ହରିୟାଣା ।

ସହଯୋଗୀ ଜେଜେପିକୁ ସନ୍ତୁଷ୍ଟ କରିବାକୁ ଏପରି ଏକ ବ୍ଲୁ ପ୍ରିଂଟ ତିଆରି କରିଛନ୍ତି ବିଜେପିର କେନ୍ଦ୍ରୀୟ ନେତା । ହରିୟାଣାରେ ମନୋହରଲାଲ ଖଟ୍ଟର ପୁଣି ଥରେ ଆଗାମୀ ୫ ବର୍ଷ ପାଇଁ ରହିବେ ମୁଖ୍ୟମନ୍ତ୍ରୀ । ଜେଜେପିର ନେତା ଦୁଷ୍ୟନ୍ତ ଚୌଟାଲା ଓ ବିଜେପି ନେତା ଅନୀଲ ବିଜଙ୍କୁ ମିଳିବ ଉପମୁଖ୍ୟମନ୍ତ୍ରୀ ପଦ । ଉପମୁଖ୍ୟମନ୍ତ୍ରୀ ପଦ ସହିତ ଜେଜେପିକୁ ଖଟ୍ଟର ମନ୍ତ୍ରୀମଣ୍ଡଳରେ ବଡ ଭାଗିଦାରୀ ମିଳିପାରେ । ସେପଟେ ବିଧାୟକ ଦଳ ନେତା ନିର୍ବାଚନ ପରେ ବିଜେପି ସ୍ପଷ୍ଟ କରିଛି ଦଳ ସରକାର ଗଠନକରିବାକୁ ବିବାଦୀୟ ନେତା ଗୋପାଳ କାଣ୍ଡାଙ୍କ ସମର୍ଥନ ନେବ ନାହିଁ ।

ସେପଟେ ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ ବି ଚିତ୍ର ସ୍ପଷ୍ଟ ଆସିନି । ବିଜେପି ଶିବସେନା ଭିତରେ ଦେବେନ୍ଦ୍ର ଫଡନବିସ ଓ ଆଦିତ୍ୟ ଠାକରେଙ୍କ ମଧ୍ୟରୁ କିଏ ହେବ ମୁଖ୍ୟମନ୍ତ୍ରୀ ଏବେ ବି ଛକା ପନଝା ଲାଗିଛି । ଏହାରି ଭିତରେ ଶିବସେନା ନେତା ସଂଜୟ ରାୱତଙ୍କ ଟୁଇଟ୍ ବଡ ସସପେନ୍ସ ସୃଷ୍ଟି କରିଛି । ସଂଜୟ କାର୍ଟୁନ୍ କରି ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ଏକ ଫଟୋ ଟୁଇଟ୍ କରିଛନ୍ତି । ଫଟୋରେ ରହିଛି ବାଘ । ବାଘ ହାତରେ ଧରିଛି ପଦ୍ମଫୁଲ । ସେପଟେ ବାଘ ବେକରେ ପଡିଛି ଘଂଟା । ଏବେ ସଂଜୟ ରାୱତଙ୍କ ଏହି ଫଟୋ ରାଜନୈତିକ ଚର୍ଚା ସୃଷ୍ଟି କରିଦେଇଛି । ଫଟୋ ଜରିଆରେ ମହାରାଷ୍ଟ୍ରରେ ବିଜେପି ଶିବସେନା ନିୟନ୍ତ୍ରଣରେ ବୋଲି କହିବାକୁ ଉଦ୍ୟମ କରିଛନ୍ତି ।