ଦିବ୍ୟାଙ୍ଗ ହେଲେ ବି ଜୀବନ ଯୁଦ୍ଧରେ ହାରିନାହାନ୍ତି କପିଳାସ । ଦୃଷ୍ଟି ଶକ୍ତି ନାହିଁ କିନ୍ତୁ ୬୫ ବର୍ଷ ବୟସରେ ବି ଚଢୁଛନ୍ତି ନଡିଆ ଗଛ, ଉପାର୍ଜିତ ରୋଜଗାରରେ ଚଳାଉଛନ୍ତି ପରିବାର

322

କନକ ବ୍ୟୁରୋ : ପିଲାଟି ଦିନରୁ ଦେଖିନାହାନ୍ତି ଦୁନିଆଁ କେମିତି । ଦୁନିଆର ରଙ୍ଗ କିପରି ବି ଜାଣିନାହାନ୍ତି । ହେଲେ ଜୀବନ ଯୁଦ୍ଧରେ କେବେ ହାରି ଯାଇନାହାନ୍ତି । ଦୃଷ୍ଟି ଶକ୍ତି ନଥିଲେ ମଧ୍ୟ ନିଜକୁ ଅକ୍ଷମ ବୋଲି ବିଚାର କରିନାହାନ୍ତି । ବରଂ ସକ୍ଷମଙ୍କ ଭିତରେ ଦିବ୍ୟାଙ୍ଗ ନୁହଁ ବରଂ ସକ୍ଷମ ପରି ବଂଚିବାକୁ ବାଟ ବାହାର କରିନେଇଛନ୍ତି ।

ଦେଖୁଛନ୍ତି ତ କେମିତି ସାଏଁ ସାଏଁ କିନା ଚଢିଯାଉଛନ୍ତି ନଡିଆ ଗଛ । ଯେଉଁପରି ଗଛ ଚଢୁଛନ୍ତି ଏମିତି ଚଢିବା ଲାଗି ଆଜିର ଯୁବପୀଢି ବି ସାହାସ ଜୁଟାଇ ପାରୁନାହାନ୍ତି । ବୟସ ୬୫ ଛୁଇଁଲାଣି, ଶରୀର ସିନା ବୁଢା ହୋଇଗଲାଣି କିନ୍ତୁ ମନ ଏବେ ବି ଯୁବକ ଅଛି । ଖରା,ବର୍ଷା ଓ ଶୀତ ଏଙ୍କୁ ଗଛ ଚଢିବାରେ କେହି ବି ଅଟକାଇ ପାରୁନାହାନ୍ତି । ନିତିଦିନ ସକାଳ ହେଲେ ବାହାରି ଯାଆନ୍ତି ପେସାକୁ ଯାହା , ୪୫ ବର୍ଷ ହେଲା ନିଶାରେ ବି କେତେ ବେଳେ ଯେ, ପରିଣତ ହୋଇଯାଇଛି ତାହା ସେ ବି ଜାଣିନାହାନ୍ତି ।

ଏ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକର ରାଇସ ଗାଁର କପିଳାସ ବାରିକ । କପିଳାସଙ୍କ ଗଛ ଚଢିବା ଦେଖିବା ଲାଗି ପାଖାପାଖି ୫ ଖଣ୍ଡ ମୌଜାର ଲୋକ ଭିଡ ଜମାନ୍ତି । ନିଶ୍ଚିତ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ଯେ, କାହିଁକି ଏଙ୍କୁ ଦେଖିବା ଲାଗି ଏତେ ଭିଡ । କାରଣ ଟା ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ଓ ତାଜୁବ ହୋଇଯିବେ । କାରଣ ଦୁନିଆକୁ ଆସିବାର ମାତ୍ର ୨ ବର୍ଷ ପରେ ଆଉ ଦୁନିଆ ଦେଖିବା ଲାଗି ତାଙ୍କ ଆଖିରେ ନଥିଲା ଜ୍ୟୋତି । ତେବେ ପରିବାରର ବୋଝ ନହେବା ଲାଗି ସବୁବେଳେ ଚିନ୍ତା କରନ୍ତି କପିଳାସ । ଆଉ ଦିନ ଗଡିବା ସହ ନିଜେ କିଛି କରିଦେଖାଇବାର ଇଚ୍ଛା ଆଗରେ ତାଙ୍କୁ ମିଳିଗଲା ଉପାୟ । ସେହି ଦିନଠାରୁ ଆରମ୍ଭ କଲେ ଗଛ ଚଢିବା ।

ପ୍ରଥମେ ପ୍ରଥମେ ଗଛରୁ ଅନେକ ବାର ଖସି ପଡିଛନ୍ତି । ଏପରିକି ନିଶ୍ଚିତ ମୃତ୍ୟୁମୁଖରୁ ବି ଅଳ୍ପକେ ବର୍ତିଯାଇଛନ୍ତି । କିନ୍ତୁ ଦୃଢ ଇଚ୍ଛାଶକ୍ତି ଆଗରେ ସବୁ ଫିକା ପଡିଯାଇଛି । କ୍ରମାଗତ ଚେଷ୍ଟା ପରେ ଅଂଟାରେ କଟୁରୀ, ଦଉଡି ଓ ଗୋଡରେ ରସି ଲଗାଇ ଗଛକୁ ଚଢି ନଡିଆ ପଇଡ ବିଛାଇବା ସହ ଗଛକୁ ବେଶ ଭଲରେ ସଫା କରୁଛନ୍ତି । କେବଳ କଥା ଏତିକିରେ ସରିନାହିଁ ହାତ ଟିପ ମାରି ମାରି ନଡିଆ ଛଡାଇ ବି ପାରୁଛନ୍ତି । ଦିନକୁ ୩୦୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ବି କରୁଛନ୍ତି । ପରିବାରର ବୋଝ ହୋଇ ବସିବା ବଦଳରେ ନିଜେ ପରିବାର ଚଳାଉଛନ୍ତି କପିଳାସ । ତେବେ ଦିନରେ ଗଛ ଚଢିବା ସହ ସନ୍ଧ୍ୟା ହେଲେ ମନ୍ଦିରରେ କିର୍ତନ କରିବା ତାଙ୍କର ନିତିଦିନ ଅଭ୍ୟାସ । ମୃଦଙ୍କ ବଜାଇବାରେ ସେ ପାଲଟିଛନ୍ତି ସିଦ୍ଧହସ୍ତ । ଆଜିର ଦୁନିଆରେ ବିଭିନ୍ନ ବାହାନା କରି ସକ୍ଷମ ଲୋକ ଅଳୁସୁଆ ହୋଇ ବସିରହୁଥିବା ବେଳେ ଦିବ୍ୟାଙ୍କ ହୋଇ ବି ସମାଜରେ କେମିତି ବଂଚି ହୁଏ ତାହାକୁ ଦୁନିଆକୁ ଦେଖାଇ ପାରୁଛନ୍ତି କପିଳାସ ।