ହାର୍ଦ୍ଦିକଙ୍କ ଟାର୍ଗେଟରେ କଂଗ୍ରେସ, ହିନ୍ଦୁଙ୍କୁ ନେଇ କଂଗ୍ରେସକୁ ପଚାରିଲେ ଏଭଳି ପ୍ରଶ୍ନ

165

କନକ ବ୍ୟୁରୋ : ଗୁଜୁରାଟର ପୂର୍ବ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଦଳ ଛାଡିବା ପରେ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି । ସେ ଏକ ଟ୍ୱିଟ କରି କହିଛନ୍ତି କି, କଂଗ୍ରେସ ସବୁବେଳେ ହିନ୍ଦୁମାନଙ୍କର କ୍ଷତି ହେବା ଭଳି କାମ କରୁଛି । ଏହାସହ ସର୍ବଦା ହିନ୍ଦୁ ଧର୍ମର ଆସ୍ଥା ଉପରେ କଂଗ୍ରେସ ଆକ୍ରମଣ କରିବାକୁ ପ୍ରୟାସ ଜାରି ରଖିଥିବା କଥା ସେ କହିଛନ୍ତି । ଏହାସହ ଗୁଜୁରାଟର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭରତ ସୋଲଙ୍କୀଙ୍କ ବୟାନକୁ ନେଇ ସେ କହିଛନ୍ତି ଯେ ହିନ୍ଦୁମାନଙ୍କ ପ୍ରତି କଂଗ୍ରେସର ନଜର ସର୍ବଦା ଏହି ଭଳି । କହିରଖୁ କି କିଛିଦିନ ତଳେ ଭରତ ସୋଲଙ୍କୀ କହିଥିଲେ କି ଏବେ ରାମ ମନ୍ଦିରର ଇଟା ଉପରେ କୁକୁର ପରିଶ୍ରା କରୁଛି । ଅନ୍ୟପଟେ ସେ କଂଗ୍ରେସ ନେତାମାନଙ୍କ ପଶ୍ନଛଳରେ କହିଛନ୍ତି କି ପ୍ରଭୂ ଶ୍ରୀରାମଙ୍କ ସହ ତୁମର ଶତ୍ରୁତା କଣ ।

କହିରଖୁ କି ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ହାର୍ଦ୍ଦିକ ପଟେଲ ଗତ ବୁଧବାର ଦିନ ଦଳରୁ ଇସ୍ତଫା ଦେଇଥିଲେ । ସେ ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଥିଲେ କି ଯେତେବେଳେ ଦେଶକୁ ଏକ ବିକଳ୍ପର ଆବଶ୍ୟକତା ରହିଛି ସେତେବେଳେ କଂଗ୍ରେସ କେବଳ ବିରୋଧ ରାଜନୀତିରେ ସୀମିତ ରହିଯାଉଛି ।

ସୂଚନା ଥାଉକି ରାଜସ୍ତାନର ଉଦୟପୁର ଠାରେ ହୋଇଥିବା କଂଗ୍ରେସର ଚିନ୍ତନ ଶିବିର ପରେ ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ତାର କିଛିଦିନ ଆଗରୁ ସେ କଂଗ୍ରେସର ଯୁବନେତା ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି ରାଜ୍ୟର ସମସ୍ୟା ବାବଦରେ ଆଲୋଚନା କରିଥିଲେ । ହେଲେ ପାର୍ଟିର ହାଇକମାଣ୍ଡ ସେ ଉଠାଇଥିବା ସମସ୍ୟା ଉପରେ ଗୁରୁତ୍ୱ ନଦେବାରୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ।