ଇସ୍ରାଏଲ- ହମାସ ଯୁଦ୍ଧ ଭୂମିରୁ ଆସିଲା ଭଲ ଖବର । ଯୁଦ୍ଧ ବିରତିର ପ୍ରଥମ ପର୍ଯ୍ୟାୟରେ ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ସେପଟେ ୩୯ ଜଣ ପାଲେଷ୍ଟାଇନ ବନ୍ଦୀକୁ ଛାଡିଲା ଇସ୍ରାଏଲ ।

101

କନକ ବ୍ୟୁରୋ: ହମାସ ଓ ଇସ୍ରାଏଲ ମଧ୍ୟରେ ଶୁକ୍ରବାରଠାରୁ ଯୁଦ୍ଧ ବିରତି ଆରମ୍ଭ ହୋଇଛି । ଯୁଦ୍ଧ ବିରତି ଚୁକ୍ତି ଅନୁସାରେ ହମାସ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରେ ୧୨ ଜଣ ଥାଇଲାଣ୍ଡ ନାଗରିକ ଓ ୧୩ ଜଣ ଇସ୍ରାଏଲ ମହିଳା ଓ ଶିଶୁ ଅଛନ୍ତି । ଆଗକୁ ଆହୁରି ପଣବନ୍ଦୀଙ୍କୁ ହମାସ ମୁକ୍ତ କରାଯିବ ବୋଲି ସୂଚନା ମିଳିଛି ।

ହମାସ ମୁକ୍ତ କରିଥିବା ପଣବନ୍ଦୀଙ୍କୁ ରାଫା ସୀମା ଦେଇ ଇଜିପ୍ଟକୁ ଛଡାଯାଇଛି । ସେପଟେ ଇସ୍ରାଏଲ ମଧ୍ୟ ଜେଲରେ ବନ୍ଦୀ ଥିବା ୩୯ ଜଣ ପାଲେଷ୍ଟାଇନକୁ ମୁକ୍ତ କରିଥିବା ସୂଚନା ମିଳିଛି । ହମାସ ଓ ଇସ୍ରାଏଲ ମଧ୍ୟରେ ପଣବନ୍ଦୀ ମୁକ୍ତିକୁ ନେଇ ମଧ୍ୟସ୍ଥତା କରୁଥିବା କତାର ବିଦେଶ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଦୀର୍ଘ ୪୮ ଦିନର ଯୁଦ୍ଧ ପରେ ୪ଦିନ ପାଇଁ ଯୁଦ୍ଧ ବିରତି ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ଯୁଦ୍ଧ ବିରତି ଅବସରରେ ୫୦ ପଣବନ୍ଦୀ ମୁକ୍ତ କରିବ ହମାସ ଓ ଇସ୍ରାଏଲ ଜେଲରେ ଥିବା ୫୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବ ଇସ୍ରାଏଲ । ୪ ଦିନର ଯୁଦ୍ଧ ବିରତି ଯୋଗୁଁ ଏବେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଭୂମି ଶାନ୍ତ ହୋଇପଡିଛି । ସେପଟେ ପଣବନ୍ଦୀଙ୍କୁ ମୁକ୍ତି କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କହିଛନ୍ତି, ଆଗକୁ ଆଉ କିଛି ପଣବନ୍ଦୀଙ୍କୁ ମୁକ୍ତ କରାଯିବ ।