ହଇରାଣ ହେଉଛନ୍ତି ହବିଷ୍ୟାଳି , ପଞ୍ଜିକରଣ କରିନଥିଲେ ମିଳୁନାହିଁ ସୁବିଧା

192

କନକ ବ୍ୟୁରୋ : କାର୍ତିକ ମାସ ଆରମ୍ଭରୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ହବିଷ୍ୟାଳିଙ୍କ ଭିଡ ଜମିଛି । ଆଉ ପ୍ରଶାସନ ପକ୍ଷରୁ ପୁରୀରେ ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହେଲେ ଏହାର ଫାଇଦା କେବଳ ପୂର୍ବରୁ ପଞ୍ଜିକୃତ କରିଥିବା ହବିଷ୍ୟାଳିଙ୍କୁ ମିଳୁଛି । ଯେଉଁମାନେ ପଞ୍ଜିକରଣ କରିନାହାନ୍ତି, ସେମାନେ ସବୁ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି । ଯାହାକୁ ନେଇ ବ୍ରତଧାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ହବିଷ୍ୟାଳି ଶିବିରରେ ରହି ୩ ହଜାର ପଞ୍ଜିକୃତ ହବିଷ୍ୟାଳି ବ୍ରତ କରୁଛନ୍ତି । ତେବେ ଅଣପଞ୍ଜିକୃତ ବ୍ରତଧାରୀଙ୍କ ଅସନ୍ତୋଷ ପରେ ସେମାନଙ୍କୁ ରହିବା ପାଇଁ ପ୍ରଶାସନ ଅନୁମତି ଦେଇଥିବା ସୂଚନା ମିଳିଛି ।

ପୂର୍ବରୁ ପୁରୀରେ ଅନେକ ମଠ, ଧର୍ମଶାଳା ରହିଥିଲା । ଯେଉଁଠି ହବିଷ୍ୟାଳ ବ୍ରତ ପାଇଁ ଆସୁଥିବା ବ୍ରତଧାରୀ ସୁଲଭ ଦରରେ ସୁବିଧାରେ ରହୁଥିଲେ । କିନ୍ତୁ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀକ୍ଷେତ୍ରର ମଠ ମନ୍ଦିର, ଧର୍ମଶାଳା ଭାଙ୍ଗିଦିଆଯିବା ପରେ, ବ୍ରତଧାରୀଙ୍କୁ କମ ଦରର ଅନ୍ୟତ୍ର ଜାଗା ମିଳୁ ନାହିଁ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହବିଷ୍ୟାଳି ଶିବିର ୭ ମହଲା ବିଶିଷ୍ଟ । ଏଣୁ ଲିଫ୍ଟ ସହ ଅଭ୍ୟସ୍ତ ନଥିବା ବୃଦ୍ଧା ବ୍ରତଧାରୀ ଶିଡି ଦେଇ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି ।

ହବିଷ୍ୟାଳି ବ୍ରତ କରିବା ଚଳିତ ବର୍ଷ ଲକ୍ଷାଧିକ ବ୍ରତଧାରୀଙ୍କୁ ଭିଡ ଶ୍ରୀ କ୍ଷେତ୍ରରେ ଜମିଛି । ସରକାରୀ ଶିବିର ଛଡା ବହୁ ବ୍ରତଧାରୀ ବିଭିନ୍ନ ମଠ ବାଡିରେ ରହି ହବିଷ୍ୟାଳି ବ୍ରତ ପାଳନ କରୁଛନ୍ତି ।