ରାଜଧାନୀରେ ଫୁଟବଲ ଫିଭର , କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍

86

କନକ ବ୍ୟୁରୋ :  ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ହକି ପାଇଁ ସ୍ୱତନ୍ତ୍ର ପରିଚୟ ପାଇଥିବା କଳିଙ୍ଗ ଷ୍ଟାଡିୟମ ଏବେ ଫୁଟବଲ ମହାକୁମ୍ଭର ମାହୋଲ ତିଆରି ହୋଇଛି । ଆଉ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ । ପ୍ରଥମ ଥର ପାଇଁ ଭାରତରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଂଟ ଆୟୋଜନ ହୋଇଥବା ବେଳେ ଦେଶର ତିନୋଟି ଷ୍ଟାଡିୟମ ମଧ୍ୟରୁ କଳିଙ୍ଗ ଷ୍ଟାଡିୟମ ଅନ୍ୟତମ । ଯେଉଁ ମ୍ୟାଚକୁ ଦେଖିବାକୁ ଦୀର୍ଘ ୨ ବର୍ଷ ହେବ ଅପେକ୍ଷା କରିଥିଲେ ଫୁଟବଲ କ୍ରୀଡା ପ୍ରେମୀ । ଘରୋଇ ଦର୍ଶକଙ୍କ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ କିନ୍ତୁ ସ୍ୱତନ୍ତ୍ର ଆକର୍ଷଣ ରହିଛି । କୋଭିଡ୍ ପାଇଁ ଏହି ବହୁପ୍ରତୀକ୍ଷିତ ବିଶ୍ୱକପ ମ୍ୟାଚର ତାରିଖ ଘୁଂଚି ଘୁଂଚି ଆସିଥିଲା । ଶେଷରେ ଏହି ଫିଫା ବିଶ୍ୱକପର ସପ୍ତମ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ମଧ୍ୟ ବଢିଛି ।

ଅପରାହ୍ନ ୪ଟା ୩୦ରେ ମରୋକ-ବ୍ରାଜିଲ୍ ଖେଳାଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ ଆମେରିକା ରହିଛି । ଯାହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୪ କେନ୍ଦ୍ରମନ୍ତ୍ରୀ  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜ୍ଜୁ, ଅନୁରାଗ ଠାକୁର, ନୀତିଶ ପରମାଣିକ ଉପସ୍ଥିତ ରହିବେ । ଏଥିପାଇଁ ସମସ୍ତ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପହଂଚିଛନ୍ତି ।

ଆୟୋଜକ ଦେଶ ଭାବେ ଭାରତ ପଦାର୍ପଣ ସୁଯୋଗ ପାଇଛି । ୫ ବର୍ଷ ତଳେ ୧୭ ବର୍ଷରୁ କମ୍ ପୁରୁଷ ଯୁବ ଦଳ ମଧ୍ୟ ଅନୁରୂପ ଭାବେ ସମାନ ସୁଯୋଗ ପାଇଥିଲା ଭାରତ ମାଟିରେ । କୌଣସି ବର୍ଗର ଫିଫା ପ୍ରତିଯୋଗିତାରେ ଭାରତୀୟ ମହିଳାଙ୍କ ଏହା ପ୍ରଥମ ଅଂଶଗ୍ରହଣ ହେବ । ସେହି ଦୃଷ୍ଟିରୁ ଏହା ଭାରତୀୟ ମହିଳା ଫୁଟବଲ ପାଇଁ ଏକ ଐତିହାସିକ ମୁହୂର୍ତ୍ତ  ।