ସମ୍ପତ୍ତି ପାଇଁ ଯୁବତୀଙ୍କୁ ନିର୍ଯାତନା : ପାଟିରେ ଲଙ୍କାଗୁଣ୍ଡା ଭରି ଫେଭିକ୍ୱିକ୍ ମାରିଦେଲା ଯୁବକ । ଅଭିଯୁକ୍ତ ଘରେ ବୁଲିବ ବୁଲଡୋଜର ।

494

କନକ ବ୍ୟୁରୋ: ଫେଭିକ୍ୱିକ୍ ବର୍ବରତା… ଯେଉଁ ଘରେ ଯୁବତୀଙ୍କୁ ରଖି ଦିଆଯାଉଥିଲା ନିର୍ଯାତନା ସେଠାରେ ପହଞ୍ଚିଲା ପୋଲିସ । ଏବେ ଅଭିଯୁକ୍ତ ଘରେ ବୁଲିବ ବୁଲଡୋଜର । ଏହି ଘଟଣା ମଧ୍ୟପ୍ରଦେଶ ଗୁନାର ।

ଯୁବତୀଙ୍କ ଘର ଉପରେ ଥିଲା ଅଭିଯୁକ୍ତର ନଜର । ଯୁବତୀଙ୍କ ଘର ପାଖରେ ଭଡାରେ ରହୁଥିଲେ ଏବଂ ତାଙ୍କୁ ନିଜ ପ୍ରେମ ଜାଲରେ ଫଶାଇଥିଲେ । କିନ୍ତୁ ଧିରେ ଧିରେ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା ଅଭିଯୁକ୍ତ ଯୁବକ । ଏହି ଘଟଣା ଜାଣିପାରି ଯୁବତୀଙ୍କ ମା’ ତାଙ୍କ ଜଣେ ସମ୍ପର୍କୀଙ୍କ ଘରକୁ ପଠାଇଦେଇଥିଲେ । କିଛି ମାସ ପରେ ଆସିବା ପରେ ବି ଅଭିଯୁକ୍ତ ଯୁବତୀଙ୍କୁ ଅପହରଣ କରି ନେଇଥିଲା । ଏବଂ ଗୋଟିଏ ଘରେ ରଖି ଶାରୀରିକ ନିର୍ଯାତନା ଦେଇଥିଲା, ଯାହା ଶୁଣିଲେ ଲୋମ ଟାଙ୍କୁରୀ ଉଠିବ । ଯୁବତୀଙ୍କ ଆଖିରେ ଲଙ୍କା ଗୁଣ୍ଡା ମାରିବା ସହ ତାଙ୍କ ପାଟିରେ ଲଙ୍କା ଗୁଣ୍ଡ ଭରି ସେଥିରେ ଫେଭିକ୍ୱିକ୍ ମାରିଦେଇଥିଲା ଅଭିଯୁକ୍ତ । କୌଣସି ସୂତ୍ରରୁ ଜାଣିପାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛି । ଏହାସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହାସହ ଅଭିଯୁକ୍ତର ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି ସ୍ଥାନୀୟ ପ୍ରଶାସନ ।