ନୁପୂରଙ୍କ ବୟାନକୁ ନେଇ ଗୁଜୁରାଟରେ ବି ଧାର୍ମିକ ହିଂସା, ୪ ପୋଲିସ କର୍ମୀ ଆହତ

117

କନକ ବ୍ୟୁରୋ : ଦେଶରେ ଜାରି ରହିଛି ଧାର୍ମିକ ହିଂସା । ଉତ୍ତର ପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଝାଡଖଣ୍ଡ ପରେ ଏବେ ଖୁଦ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜୁରାଟରେ ବି ହିଂସାର ପ୍ରଭାବ ପଡିଛି । ରାଜ୍ୟର ବୋରସଦ ସହରରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ଏଥିରେ ୪ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏନେଇ ଅହମ୍ମଦାବାଦ ମହାନିରୀକ୍ଷକ ବି.ଚନ୍ଦ୍ରଶେଖର କହିଛନ୍ତି କିଛି ଅଳ୍ପ ସଂଖ୍ୟକ ସମୁଦାୟର ଲୋକ କିଛି ଲୋକଙ୍କୁ ଘେରି ଯାଇଥିଲେ । ଏହାପରେ ଶହ ଶହ ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ଲୋକମାନେ ପୋଲିସ ଓ ପୋଲିସ ଗାଡି ଉପରକୁ ପଥର ମାଡ କରିବାରୁ ୪ ଜଣ ପୋଲିସ କର୍ମୀ ଆହତ ହେବା ସହ କିଛି ପୋଲିସ ଗାଡି ବି ଭାଙ୍ଗିଛି । ଏନେଇ ପୋଲିସ ଲାଠି ଚାର୍ଜ କରିବା ସହ ଲୁହବୋହା ଗ୍ୟାସ ପ୍ରୟୋଗ କରି ହିଂସାକୁ ଆୟତକୁ ଆଣିଛି ।

ଆଗକୁ ହିଂସା ଉଗ୍ରରୂପ ନେବାର ସମ୍ଭାବନା ରଖି ରାଜ୍ୟ ରିଜର୍ଭ ପୋଲିସର ଦୁଇଟି କମ୍ପାନୀ, ୨୦୦ ପୋଲିସ କର୍ମୀଙ୍କୁ ହିଂସା ଦେଖାଦେଇଥିବା ଅଞ୍ଚଳରେ ନିୟୋଜିତ କରାଯାଇଛି । ଅନ୍ୟପଟେ ହିଂସା କରିଥିବା କିଛି ଲୋକଙ୍କ ପୋଲିସ ଗିରଫ କରିଛି ।

ବୋରସାଡ ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ହନୁମାନ ମନ୍ଦିର ପଛପଟେ ଏକ ଅବୈଦ୍ଧ ନିର୍ମାଣକୁ ନେଇ ଏଭଳି ହିଂସା ଦେଖିବାକୁ ମିଳିଛି ।