ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ : ୨୧ ମାସ ପରେ କଳାପଟାରେ ପାଠପଢା

ମାଟ୍ରିକ ପରୀକ୍ଷା ହେଉଥିବା ସ୍ଥାନରେ ସପ୍ତାହେ ବିଳମ୍ବରେ ଖୋଲିବ ବିଦ୍ୟାଳୟ; ବିଭାଗ ଜାରି କଲା ଏସଓପି, ସେପଟେ ମାଟ୍ରିକ ପରୀକ୍ଷା ପୂର୍ବରୁ ଟିକାକରଣ ନେଇ ତରବର ନହେବାକୁ ବିଶେଷଜ୍ଞଙ୍କ ପରାମର୍ଶ

134

କନକ ବ୍ୟୁରୋ : ପ୍ରଥମରୁ ପଂଚମ ଯାଏଁ ସ୍କୁଲ ଖୋଲିବା ନିଷ୍ପତି ହେବା ପରେ ମାର୍ଗଦର୍ଶିକା ଜାରି କରାଯାଇଛି । ଯେଉଁ ବିଦ୍ୟାଳୟରେ ଜାନୁଆରି ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାଙ୍କ ସମିଟିଭ୍‌-୧ ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକ ଜାନୁଆରି ୧୦ରୁ ଖୋଲିବ । ବିନା ମଧ୍ୟାହ୍ନ ଭୋଜନରେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲିବ । ମଧ୍ୟାହ୍ନଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ପୂର୍ବ ଭଳି ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା‌ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି ।

ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଆଜି ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖି ଏସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ ଗଣଶିକ୍ଷା ବିଭାଗ, ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ଅଧୀନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ । ଅଭିଭାବକଙ୍କ ଅନୁମତି‌ରେ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ କିମ୍ବା ଅନ୍‌ଲାଇନ୍‌ରେ କ୍ଲାସ କରିପାରିବେ। ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ। ତେବେ ମେସ୍‌, ଶୌଚାଳୟଗୁଡ଼ିକ ଯେପରି ନିୟମିତ ବ୍ୟବଧାନରେ ବିଶୋଧନ ହେବ ହଷ୍ଟେଲ ମୁଖ୍ୟମାନେ ସେଥିପ୍ରତି ଧ୍ୟାନ ଦେବେ ।

ଏଥିସହ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଏବେ ଓଡ଼ିଶାରେ କରୋନା ସ୍ଥିତିରେ ଉନ୍ନତି ଆସିଛି । ସଂକ୍ରମିତଙ୍କ ସଂଖ୍ୟା କମୁଛି । ଅନ୍ୟ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ କ୍ଲାସରୁମ୍‌ ଶିକ୍ଷା ଚାଲିଛି । ତେଣୁ ପ୍ରଥମରୁ ୫ମ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଅନ୍‌ଲାଇନ୍‌ ଶିକ୍ଷାକୁ ଅଧିକ ପ୍ରାଥମିକତା ଦେବାକୁ ବି କୁହାଯାଇଛି । ଯେଉଁ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ ହେଉଛି ଏବଂ ଉପସ୍ଥାନ କମ୍‌ ରହୁଥିବ ତଥାପି ତାହାକୁ ଜାରି ରହିବାକୁ ଅନୁମତି ଦେବେ । ଅଭିଭାବକଙ୍କ ଅନୁମତି ଆଣି ଛାତ୍ରଛାତ୍ରୀ କ୍ଲାସ କରିପାରିବେ ।

ମାତ୍ର ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳମାନେ ଚୂଡ଼ାନ୍ତ ପଦକ୍ଷେପ ନେଇପାରିବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଆସିବେ ନାହିଁ। କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳ ଭିତରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ । ପ୍ରଧାନ ଶିକ୍ଷକମାନେ କ୍ୟାମ୍ପସକୁ ସଫାସୁତୁରା ରଖିବା ସହ ବିଶୋଧନ ଉପରେ ଗୁରୁତ୍ବ ଦେବେ। ହାତ ଧୂଆ ସୁବିଧା ଯେପରି ଉପଲବ୍ଧ ହେବ ସେଥିପ୍ରତି ପ୍ରାଥମିକତା ଦେବାକୁ ନିର୍ଦେଶ ଦିଆଯାଇଛି। ଥର୍ମୋମିଟର, ସାବୁନ୍‌ ଉପଲବ୍ଧ କରିବା, ପରିବହନ ବ୍ୟବସ୍ଥାକୁ ନିରୁତ୍ସାହିତ କରିବା, ଯଦି ପରିବହନ ସୁବିଧା ଉପଲବ୍ଧ କରାଯାଏ ତେବେ ବିଶୋଧନ ସହ ୫୦% ସିଟ୍‌ରେ ବସାଇବେ ।

ଗୋଟିଏ ବେଞ୍ଚରେ ଜଣେ ଛାତ୍ରଙ୍କୁ ବସାଇବା, ୬ ପୁଟ୍‌ ଦୂରତ୍ବ ରକ୍ଷା, ଷ୍ଟାଫ୍‌ରୁମ୍‌, ଅଫିସ୍‌ ଏରିଆ ଓ ଅନ୍ୟାନ୍ୟ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇଛି । ସ୍କୁଲଗୁଡ଼ିକ ରାଜ୍ୟ ହେଲପ୍‌ଲାଇନ୍‌ ନମ୍ବର, ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନମ୍ବର ଲେଖିବାକୁ ପରାମର୍ଶ ଦିଆଯାଇଛି। ଆଇସୋଲେସନ୍‌ ରୁମ୍‌ ରହିବା, ଗୋଟିଏ ରୁମ୍‌ରେ ଅତିବେଶିରେ ୨୦ରୁ ୨୫ ପିଲାଙ୍କୁ ବସିବାକୁ ଅନୁମତି, ସ୍ବାସ୍ଥ୍ୟକର ଖାଦ୍ୟ ଆଣିବାକୁ ପିଲାଙ୍କୁ ପରାମର୍ଶ ଦେବା, ସମ୍ମିଳନୀ, କ୍ରୀଡ଼ା ପରି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସ୍କୁଲ କ୍ୟାମ୍ପସଠାରୁ ୧୦୦ ମିଟର ଦୂର ପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ବାରଣ କରାଯାଇଛି ।