କୋଟିପତି ଜେଜେଙ୍କ ନାତିକୁ ବନବାସ: ପେଟ ପାଇଁ ମଜୁରୀ ଖଟିଲେ  ଅମେରିକା ଫେରନ୍ତା ନାତି 

652

କନକ ବ୍ୟୁରୋ: ଆମେ କହୁଛୁ ଦେଶର ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ନାତିଙ୍କ କଥା । ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏହା ସତ  । ଆମେରିକାରୁ ଏମବିଏ ପଢି ଫେରିଥିବା ନାତିକୁ  ଘରୁ ବାହାର କରିଦେଲେ ଜେଜେବାପା  । ମାସକ ପାଇଁ ନିଜେ ରୋଜଗାର କରି ପେଟ ପୋଷିବାକୁ ନିର୍ଦ୍ଦେଶ ଦେଲେ । ଏହି ନିର୍ଦ୍ଦେଶକୁ ମାନି ହାଇଦ୍ରାବାଦ ଚାଲିଆସିଲେ ନାତି ।

ହୀରାର ସହର  ସୁରଟର ସବୁଠୁ ଆଗୁଆ ବ୍ୟବସାୟୀ ସାବଜୀଭାଇ ଢୋଲକିଆଙ୍କୁ ବା କିଏ ନଜାଣେ । ଦୀପାବଳିରେ ବୋନସ୍ ଭାବେ ନିଜ କର୍ମଚାରୀଙ୍କୁ ଦାମୀ କାର୍, କୋଠା ଓ ଅଳଙ୍କାର ଦେବାରେ ତାଙ୍କର ଖ୍ୟାତି ରହିଛି । ହେଲେ ନିଜ ନାତିକୁ ଦେଲେ ମାସକର ନିର୍ବାସନ ଦଣ୍ଡ ।

ଆଜିକା ଦିନରେ ସାବଜୀ ଭାଇ ଢୋଲକିଆଙ୍କ ନେଟ୍ ଓର୍ଥ ୧.୫ ବିଲିଅନ୍, ଯାହା ଭାରତୀୟ ମୁଦ୍ରାରେ ୧୨ ହାଜର କୋଟିରୁ ଅଧିକ ହେବ । ହେଲେ ଆମେରିକାରେ ଏମବିଏ ପଢି ଫେରିଥିବା ନାତି ରୁବିନ୍ ଢୋଲକିଆଙ୍କୁ ଏମିତି ଶିକ୍ଷା ଯେ ଯାହାକୁ ସାରା ଦେଶ ପ୍ରଶଂସା କରୁଛି । ହାତରେ ମାତ୍ର ୬ ହଜାର ଟଙ୍କା ଧରେଇ ପଠାଇଦେଲେ ଚେନ୍ନାଇ । ଉଦ୍ଦେଶ୍ୟ ଥିଲା ଚାକଚକ୍ୟ ଠାରୁ ବହୂ ଦୂରରେ ଜଣେ ସାଧାରଣ ବ୍ୟକ୍ତିର ଜୀବନ ସଂଘର୍ଷକୁ ବୁଝିବା  ।

ଜେଜେଙ୍କ ଆଦେଶକୁ ମାନି ସବୁ ସୁଖ ସ୍ୱାଚ୍ଛନ୍ଧ୍ରକୁ ଛାଡି ଜୁନ୍ ୩୦ ତାରିଖରେ ଘରୁ ବାହାରିଲେ ରୁବିନ୍ । ପାଖରେ ନା ଥିଲା ମୋବାଇଲ ନା କିଛି ସାର୍ଟିଫିକେଟ୍ । ଖାଲି କେଇହଳ ସାର୍ଟପ୍ୟାଣ୍ଟ । ଚେନ୍ନାଇରେ ପ୍ରତ୍ୟେକ ଦିନ ଥିଲା ରୁବିନଙ୍କ ପାଇଁ ଅଗ୍ନିପରୀକ୍ଷା । ପ୍ରଥମ କିଛି ଦିନ ତାଙ୍କୁ କେବଳ ମୁଣ୍ଡ ଗୁଞ୍ଜିବାକୁ ଜାଗା ଆଉ ପେଟ ପୋଷିବାକୁ କାମ ଖୋଜିବାରେ ଚାଲିଗଲା । ଜେଜେଙ୍କର କଡା ନିର୍ଦ୍ଦେଶ ଥିଲା ଯେପରି କାହାରି ଆଗରେ ନିଜର ପ୍ରକୃତ ପରିଚୟ ନଦିଅନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ପାଖାପାଖି ୮୦ ଥର ରିଜେକ୍ସନର ସାମ୍ନା କରିବାକୁ ପଡିଥିଲା ।

 ଅନେକ ଚେଷ୍ଟା ପରେ ତାଙ୍କୁ ଏକ ଗାର୍ମେଣ୍ଟ ସୋରୁମରେ ସେଲ୍ସମ୍ୟାନ ଚାକିରି ମିଳିଲା । ଏଠାରେ ସ ୯ ଦିନ କାମ କରିବା ଭିତରେ ଜିନିଷ ବିକ୍ରି ଓ ଗ୍ରାହକଙ୍କ ସହ ବ୍ୟବହାରର ଶୈଳୀ ଶିଖିିବାକୁ ମିଳିଲା । ଏହାପରେ ଏକ ହୋଟେଲରେ ୱେଟର ଭାବେ କାମ କଲେ । ଏଠାରେ ସେ ୮ ଦିନ କାମ କରିବା ଭିତରେ ପ୍ଲେଟ ସଜାଡିବା ଓ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଶିଖିଲେ । ଜଣେ ଗ୍ରାହକ ତାଙ୍କୁ ୨୭ ଟଙ୍କା ଟିପ୍ସ ଦେଇଥିଲେ, ଯାହା ତାଙ୍କୁ କୋଟିଏ ଟଙ୍କା ପାଇବା ଭଳି ଲାଗିଥିଲା । ତୃତୀୟରେ ଏକ ଘଣ୍ଟା ସୋ ରୁମରେ କାମ କଲେ । ଏଠାରେ ସେ ଘଣ୍ଟା ମରାମତି କାମ ଶିଖିଲେ ।

ଏହା ପରର କାମ ଥିଲା ଏକ ବ୍ୟାଗ୍ ଦୋକାନରେ । ଏଠାରେ ତଳେ ବସି ଲଗାତାର ୧୦ରୁ ୧୧ ଣ୍ଟା କାମ କରିବା ତାଙ୍କୁ ଧୈର୍ଯ୍ୟ ଶିଖାଇଥିଲା । ସବୁଠାରୁ କଷ୍ଟକର ଥିଲା ହୋଟେଲରେ କାମ କରିବା  । ଯେତେବେଳେ ମାଲିକ ପାଖକୁ ପାଉଣା ପାଇଁ ଗଲେ ୬ / ୭ ଘଣ୍ଟା ଛିଡା ପରେ ତାଙ୍କ ପାଖକୁ ୨୦୦୦ ଟଙ୍କା ପକାଇଦେଇଥିଲେ ହୋଟେଲ ମାଲିକ । ସେତିକିବେଳେ ରୁବିନ୍ ବୁଝିପାରିଥିଲେ ଜଣେ ସାଧାରଣ ଲୋକ ପେଟ ପାଇଁ କି କି ପ୍ରକାର ସଂଘର୍ଷର ସାମନା କରେ ।

 ରୁବିନଙ୍କର ଏହି ବାନବାସ ଯାତ୍ରା ଜୁଲାଇ ୩୦ରେ ଶେଷ ହେଲା । ନିଜ ଅର୍ଜିତ ୮,୬୦୦ ଟଙ୍କା ନେଇ ଘରକୁ ଫେରିଲେ ରୁବିନ୍ । ଜୀବନର ପ୍ରକୃତ ଅର୍ଥ ଶିଖି ଘରକୁ ଫେରିବା ବେଳକୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ତେବେ କେବଳ ରୁବିନଙ୍କୁ ନୁହେଁ ନିଜ ପୁଅ ଦ୍ରବ୍ୟ ଢୋଲକିଆଙ୍କୁ ମଧ୍ୟ ଏଭଳି ପରୀକ୍ଷାର ସାମନା କରିବାକୁ ପଡିଥିଲା । ସାବଜୀ ଭାଇ କେବଳ ଜଣେ ବ୍ୟବସାୟୀ ନୁହଁନ୍ତି । ସମାଜସେବା ଓ ପରୋପକାର ପାଇଁ ତାଙ୍କୁ ମିଳିଛି ଦେଶର ସର୍ବୋଚ୍ଚ ପଦ୍ମ ସମ୍ମାନ । ହେଲେ ନିଜ ପିଲାମାନଙ୍କୁ ଜୀବନର ପ୍ରକୃତ ଉଦ୍ଦେଶ୍ୟ ଶିଖାଇବାର କଳା ପୁରା ସମାଜ ପାଇଁ ଏକ ଉଦାହରଣ ସାଜିଛି ।