ଯନ୍ତର ମନ୍ତରରେ ରେସଲର୍, ତେଜିଲା ବ୍ରଜଭୂଷଣଙ୍କ ବିରୋଧରେ ପ୍ରତିବାଦର ସ୍ୱର

95

କନକ ବ୍ୟୁରୋ : ଦିଲ୍ଲୀ ଯନ୍ତର ମନ୍ତରରୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପୂରା ଦେଶକୁ ଦୋହଲାଇ ଦେଇଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବଡ଼ ବଡ଼ କୁସ୍ତିଯୋଦ୍ଧାଙ୍କୁ ଧୁଳି ଚଟାଇଥିବା ପ୍ରାୟ ୩୦ କୁସ୍ତିଯୋଦ୍ଧା ଏକାଠି ଧାରଣାରେ ବସିଛନ୍ତି । ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଆଖିରେ ଲୁହ ଓ ମୁହଁରେ ଅସନ୍ତୋଷ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ମହିଳା କୁସ୍ତିଯୋଦ୍ଧାଙ୍କ ସହ ଯୌନ ନିର୍ଯାତନା, ଅଶାଳୀନ ବ୍ୟବହାର, ଜାତିବାଦ ଭଳି ଗୁରୁତର ଅଭଯୋଗର ଲମ୍ବା ତାଲିକା ରହିଛି । ଏହି ଅଭିଯୋଗ ଆସିଛି କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରଜଭୂଷଣ ଶରନ ସିଂଙ୍କ ବିରୋଧରେ । ପ୍ରତିବାଦ କରୁଥିବା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ୍, ସରିତା ମୋର ଓ ସୁମିତ୍ ମଲିକଙ୍କ ଭଳି ବଡ଼ ନାଁ ସାମିଲ ଅଛନ୍ତି । ସେମାନଙ୍କୁ ସାଥ ଦେଇଛନ୍ତି ମହିଳା କୁସ୍ତିଯୋଦ୍ଧା ତଥା ବିଜେପି ନେତା ବବିତା ଫୋଗାଟ୍ । ବବିତା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ସହ ମାମଲାର ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ଏହି ମାମଲାରେ ରେସଲରଙ୍କୁ ସମର୍ଥନ ଦେଇଛି ।

ସେପଟେ ଏହାକୁ ନେଇ ରାଜନୀତିକରଣ ମଧ୍ୟ ଆରମ୍ଭ ହୋଇଛି । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି କଂଗ୍ରେସ ତୁରନ୍ତ ମାମଲାର ସମାଧାନ ପାଇଁ ଦାବି କରିଛି । କୁସ୍ତି ମହାସଂଘକୁ ଭଙ୍ଗ କରାଯାଇଛି । ଏହି ମାମଲାର ସିବିଆଇର ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି ।

ସେପଟେ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ରିଜଭୂଷଣ । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା କହିଛନ୍ତି ବ୍ରିଜ୍ ଭୂଷଣ । ଆଉ କହିଛନ୍ତି ଯେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ସତ ପ୍ରମାଣିତ ହେଲେ, ଫାଶୀ ଖୁଂଟରେ ଝୁଲିବାକୁ ପ୍ରସ୍ତୁତ । ଅନ୍ୟପଟେ ଏସିଆନ୍ କୁସ୍ତି ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଦିବ୍ୟା କାକରନ୍, ଡବ୍ଲୁଏଫଆଇ ସଭାପତିଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି କହିଛନ୍ତି । ଏକ ଭିଡିଓ ଜାରି କରି ଦିବ୍ୟା କହିଛନ୍ତି, ଗତ ୧୦ ବର୍ଷ ହେଲା ମୁଁ ରେସଲିଂ କରିଆସୁଛି । ମୋ ସହ କିମ୍ବା ଅନ୍ୟ କୌଣସି ଯୁବତୀଙ୍କ ସହ କିଛି ଭୁଲ ହୋଇନାହିଁ । ବରଂ ବ୍ରିଜଭୂଷଣଙ୍କ ଆସିବା ପରେ କୁସ୍ତିଯୋଦ୍ଧା ମାନଙ୍କୁ ଭଲ ସୁବିଧା ଯୋଗାଇ ଦିଆଯାଇଛି ।

ଏହି ମାମଲାରେ ହସ୍ତକ୍ଷେପ କରିଛି କ୍ରୀଡ଼ା ମନ୍ତ୍ରାଳୟ । ୭୨ ଘଂଟା ଭିତରେ ଅଭିଯୋଗର ଜବାବ ଦାଖଲ କରିବାକୁ କୁସ୍ତି ମହାସଂଘକୁ ନିର୍ଦ୍ଦେଶ ଦେଇଛି । ଜବାବ ନରଖିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ମାମଲାର ସମାଧାନ ନହେବା ଯାଏଁ କୁସ୍ତିଯୋଦ୍ଧା ରିଙ୍ଗକୁ ଓହ୍ଲାଇବେ ନାହିଁ ବୋଲି କହିଛନ୍ତି ।