ଦାନବ ପାଲଟିଲା ଜୀବନ ଦାତା: ଅପରେସନ୍ ବେଳେ ଡାକ୍ତର କାଟିଦେଲେ ବେକ ଶିର, ବେକ ସହ ହାତ ହେଲା ଅଚଳ

274

କନକ ବ୍ୟୁରୋ: ଇଏ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ହାତିବାରୀ ଗ୍ରାମର ପର୍ଶୁରାମ ଦଳାଇଙ୍କ ଝିଅ ଦେବକୀ ଦଳାଇ, ତାଙ୍କୁ ଦେଖିଲେ ଆଉ ତାଙ୍କ ଯନ୍ତ୍ରଣାଭରା କଥା ଶୁଣିଲେ ଆପଣଙ୍କ ହୃଦୟ ବି ତରଳିଯିବ ।ଜଣଙ୍କ ସାମାନ୍ୟ ଭୁଲ ପାଇଁ ଜୀବନ ଯନ୍ତ୍ରଣା ଭୋଗୁଛି ଦେବକୀ । ବଂଚିବାକୁ ଇଚ୍ଛା ହେଲେ ଅସହ୍ୟ ହେଉଛି ଶରୀର ଯନ୍ତ୍ରଣା । ଜନ୍ମରୁ ସମ୍ପୂର୍ଣ୍ଣ ଭଲ ଥିଲେ ଦେବକୀ । ୭ ମାସ ବୟସରେ ତାଙ୍କ ବେକରେ ଛୋଟ ବଥଟିଏ ହେଲା । ଦିନକୁ ଦିନ ତାହା ବଢିବାରୁ ଡାକ୍ତରଙ୍କ ପାଖକୁ ଗଲେ । ଛୋଟମୋଟ ଅପରେସନଟେ କରିଦେଲେ ବେକ ଭଲ ହୋଇଯିବ ବୋଲି ଡାକ୍ତର କହିଲେ । ହେଲେ ଅପରେସନ୍ କଲାବେଳେ ଭୁଲରେ ବେକର ଗୋଟେ ଶିର କାଟିଦେଲେ । ଡାକ୍ତରଙ୍କ ଏହି ଭୁଲ ତାଙ୍କ ଜୀବନ ଉଜାଡି ଦେଲା । ବେକ ଗୋଟେପଟକୁ ମୋଡିହୋଇ ବଙ୍କା ହୋଇଗଲା ।ହାତ ବି ଠିକ ଭାବେ କାମ କଲାନି । ଇଚ୍ଛାହୁଏ ସାଙ୍ଗ ମାନଙ୍କ ସହ ବାହାରକୁ ଟିକେ ବୁଲିବାକୁ ଯିବାକୁ, ପାଠ ପଢିବାକୁ । ହେଲେ ଦେହଟା ବାଧା ସୃଷ୍ଟି କରୁଛି । ସବୁ ଇଚ୍ଛା ତାଙ୍କର ଇଚ୍ଛାରେ ରହିଯାଇଛି । ଡାକ୍ତରଙ୍କ ଭୁଲ ପାଇଁ ଦେବକୀ କଲବଲ ହେଉଛି । ଆଉ କାହାରି ଉପରେ ତାଙ୍କର ଭରଷା ନାହିଁ । କେବଳ ଜଗତର ନାଥ ଜଗନ୍ନାଥଙ୍କୁ ଭରଷା କରିଛନ୍ତି ।
ଆଗକୁ ପଛକୁ କେହି ନାହିଁ ଗୋଟିଏ ବୋଲି ଝିଅ ଦେବକୀ । ତାକୁ ବି ଏମିତି ଦଣ୍ଡ ଦେଲା ବିଧାତା । ଝିଅକୁ ଭଲ କରିବାକୁ ଯାଇ ଯାହା ଯେତିକି ଜମି ୧୦ ଗୁଣ୍ଠ, ଘରର ବାସନକୁସନ ସବୁ ଚାଲିଗଲା । ଅନେକ ଚିକିତ୍ସା ପରେ ଦେବକୀ ଚାଲିତ ପାରିଲା ହେଲେ ବେକ ସେମିତି ବଙ୍କା ହୋଇ ରହିଲା । ଝିଅର ଏ କଷ୍ଟ ଦେଖି ନା ସହିନାରୁଛନ୍ତି ନା କାହାକୁ କହିପାରୁଛନ୍ତି ମା’ । ଖାଲି ଠାକୁରଙ୍କୁ ହାତ ଟେକି ରହିଛନ୍ତି ଯାହା ।

ଝିଅକୁ ଭଲ କରିବାକୁ ଜମିବାଡି ସବୁ ଗଲା । ମୁଣ୍ଡ ଗଂଜିବାକୁ ଘରଟେ ନାହିଁ ଯେ ସମ୍ପର୍କିୟଙ୍କ ଘରେ ଜୀବନ ବିତୁଛି । ବ୍ଲକ ଅଧିକାରୀଙ୍କୁ ଜଣାଇଲେ ବି କିଛି ଲାଭ ହେଲାନି । ଏଭଳି ସ୍ଥିତିରେ ଝିଅର ଭବିଷ୍ୟତକୁ ନେଇ କ’ଣ କରିବେ କ’ଣ ନାହିଁ କିଛି ଭାବିପାରୁନାହାଁନ୍ତି ବାପା, ମା’ । ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ଆବଶ୍ୟକ ସାହାଯ୍ୟ ଯୋଗାଇ ଦେବାକୁ କହିଛନ୍ତି ସୁକିନ୍ଦା ବିଡିଓ ।

ଦେବକୀଙ୍କ ଅବସ୍ଥା ଦେଖିଲେ ପାଖ ଲୋକ ବି ବିକଳ ହୁଅନ୍ତି । ଆବଶ୍ୟକ ସରକାରୀ ସହୟତା ମିଳିଲେ ଦେବକୀଙ୍କ କିଛି ସ୍ୱପ୍ନ ସାକାର ହୋଇପାରନ୍ତା ।