ବଲିଉଡର ଆଇକନିକ୍ କପଲ: ସାୟରାଙ୍କ ନିଃସର୍ତ୍ତ ପ୍ରେମ ଆଗରେ ହାର ମାନିଲା ଦିଲ୍ଲୀପଙ୍କ ବୟସ ସୀମା, ଅମର ହୋଇଗଲା ଦୁହିଁଙ୍କ ପ୍ରେମ କାହାଣୀ

154

କନକ ବ୍ୟୁରୋ: ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ତାଙ୍କ ଅଭିନୟ ଯେତିକି ଜୀବନ୍ତ ତାଙ୍କ ବ୍ୟକ୍ତିଗତ ତଥା ପ୍ରେମ ଓ ବୈବାହିକ ଜୀବନ ବି ସେତିକି ରୋଚକ । ଫେମସ୍ ଆକ୍ଟ୍ରେସ୍ ସାୟରା ବାନୋଙ୍କ ସହ ତାଙ୍କ ପ୍ରେମ ସବୁବେଳେ ଚର୍ଚ୍ଚାରେ । ଦୁହିଁଙ୍କ କ୍ଲାସିକ୍ ରିଲେସନସିପ୍ ବଲିଉଡ୍ ଯୋଡିଙ୍କ ପାଇଁ ଏକ ଉଦାହରଣ । ଦୁଇ ଶରୀର ଗୋଟିଏ ଆତ୍ମା ଭାବେ ଜଣାଶୁଣା ଏହି ଯୋଡିକୁ ଆଜି ବି ବଲିଉଡର ଆଇକନିକ୍ କପଲ କୁହାଯାଉଛି । ଦୁହିଁଙ୍କ ପ୍ରେମ କାହାଣିର ସବୁଠୁ ବଡ କଥା ହେଉଛି ୫ ଦଶନ୍ଧି ଧରି ଜୀବନ ବିତାଇବା ପରେ ବି ଦୁହିଁଙ୍କ ଭିତରେ ଅତୁଟ ସମ୍ପର୍କ ଥିଲା । କେବଳ ପତ୍ନୀ ନୁହେଁ ବରଂ ଜୀବନର ଶେଷ ସମୟ ଯାଏଁ ଜଣେ ଭଲ ସାଙ୍ଗ ଓ ସାହାରା ହୋଇଥିଲେ ସାୟରା ।

ସମୟ ସହ ଅମର ହୋଇଯାଇଛି ଦୁହିଁଙ୍କ ପ୍ରେମ କାହାଣି । ୬୦ ଦଶକରେ କୁଆଁରିଙ୍କ ସପନର ରାଜା ଥିଲେ ଦିଲ୍ଲୀପ କୁମାର । ତାଙ୍କର ଚାର୍ମିଂ ପର୍ସନାଲିଟି ଲକ୍ଷଲକ୍ଷ ହୃଦୟ ଚୋରାଇନେଇଥିଲା । ଆଉ ଏହି ହୃଦୟ ମାନଙ୍କ ଭିତରେ ଗୋଟିଏ ହୃଦୟ ଥିଲା ସାୟରା ବାନୋଙ୍କର । ମାତ୍ର ୧୨ ବର୍ଷ ବୟସରୁ ହିଁ ଦିଲ୍ଲୀପଙ୍କ ପ୍ରେମରେ ପଡିଥିଲେ ସାୟରା । ୧୯୬୦ରେ ଯେତେବେଳେ ଦିଲ୍ଲୀପଙ୍କର ସୁପର ହିଟ୍ ଟ୍ରାଜେଡି ମୁଭି ‘ ମୁଗଲ –ଏ- ଆଜମ୍’ର ପ୍ରିମୟର ମୁମ୍ବାଇର ମରାଠା ମନ୍ଦିରରେ ରିଲଜ୍ ହେଲା ମାତ୍ର ୧୬ ବର୍ଷର ସାୟରା ଦିଲ୍ଲୀପଙ୍କର ଗୋଟିଏ ଝଲକ ପାଇବାକୁ ସେଠାକୁ ଦୌଡି ଯାଇଥିଲେ । ହେଲେ ସେଠାରେ ଦିଲ୍ଲୀପ ଙ୍କୁ ନପାଇ ଉଦାସ ହୋଇପଡିଥିଲେ ।ହେଲେ ତାଙ୍କୁ ଦେଖିବାର ଜିଦ୍ ହିଁ ସାୟାରାଙ୍କୁ ଷ୍ଟାର ବନାଇଦେଲା । ନିଜ ମା’ଙ୍କ ସାହାଯ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ ଆଉ ନିଜ ନିଷ୍ଠା ଆଉ ପରିଶ୍ରମରେ ସଫଳ ବି ହେଲେ ।

ସାୟରା ବାନୋଙ୍କ ଏକ ଜନ୍ମଦିନ ପାର୍ଟିରେ ପ୍ରଥମ ଥର ଦିଲ୍ଲୀପ ସାୟରାଙ୍କୁ ଦେଖିଥିଲେ । ପ୍ରଥମ ଦେଖାରେ ହିଁ ତାଙ୍କର ଦିୱାନା ହୋଇଯାଇଥିଲେ । ଶେଷଯାଏଁ ଏହି ପାଗଳାମିରୁ ବାହାରିପାରିନଥିଲେ । ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କ ୧୯୬୬ ଅକ୍ଟୋବର ୧୧ତାରିଖରେ ବିବାହର ରୂପ ନେଇଥିଲା । ସେତେବେଳେ ସାୟରାଙ୍କୁ ମାତ୍ର ୨୨ ବର୍ଷ ହୋଇଥିବାବେଳେ ଦିଲ୍ଲୀପଙ୍କୁ ୪୪ ବର୍ଷ । ଏଥିପାଇଁ ଦିଲ୍ଲୀପଙ୍କୁ ଇଣ୍ଡଷ୍ଟ୍ରିରେ ଅନେକ କଥା ଶୁଣିବାକୁ ପଡିଥିଲା । ହେଲେ ସାୟରାଙ୍କ ସପୋର୍ଟ ତାଙ୍କୁ ଏଥିରୁ ମୁକୁଳାଇଥିଲା । ଯଦିଓ ମଝିରେ ଦିଲ୍ଲୀପ ଆସମା ନାମକ ପାକିସ୍ତାନୀ ମହିଳାଙ୍କ ପ୍ରେମରେ ପଡିଥିଲେ ହେଲେ ସାୟରାଙ୍କ ନିସ୍ୱାର୍ଥ ପ୍ରେମ ତାଙ୍କୁ ସାୟରାଙ୍କ ଠାରୁ ବେଶି ଦିନ ଦୂରେଇ ରଖିପାରିନଥିଲା । ପୁଣିଥିରେ ସାୟରାଙ୍କ ପାଖକୁ ଫେରିଆସିଥିଲେ ଦିଲ୍ଲୀପ ।ଏହାପରେ ଦିଲ୍ଲୀପଙ୍କ ପାଇଁ ନିଜ ଫିଲ୍ମ କରିୟରକୁ ଛାଡିଦେଇଥିଲେ ସାୟରା । ଦିଲ୍ଲୀପଙ୍କ ପାଖରେ ଛାଇ ପରି ରହୁଥିଲେ ସାୟରା ।ଦୀର୍ଘ ୫୪ ବର୍ଷର ସମ୍ପର୍କ ଜୀବନର ଶେଷ ସମୟ ଯାଏଁ ଅତୁଟ ରହିଥିଲା ।ସେଇଥିପାଇଁ ତ ଏମାନଙ୍କ ପ୍ରେମ ଓ ଦାମ୍ପତ୍ୟ ଜୀବନ ବଲିଉଡ କାହିଁକି ସବୁ କପଲଙ୍କ ପାଇଁ ଏକ ଦିଗବାରେଣି । ।