ବିପର୍ଯ୍ୟୟ ପରିଚାଳନା ନେଇ ଆନ୍ଧ୍ରକୁ ପାଠ ପଢାଇଲା ଓଡ଼ିଶା : ୨ ଦିନ ଜିଲ୍ଲା ଗସ୍ତରେ ଆସି ପ୍ରଶିକ୍ଷଣ ନେଲେ ଆନ୍ଧ୍ରର ୪ଜଣିଆ ଟିମ୍

ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ଼ ପରିଚାଳନାରେ ରୋଲ ମଡ଼େଲ ପାଲଟିଛି ଗଞ୍ଜାମ

147

କନକ ବ୍ୟୁରୋ : ଆନ୍ଧ୍ରକୁ ପାଠ ପଢାଉଛି ଓଡିଶା । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ବାରମ୍ବାର ସଫଳତା ହାସଲ କରିଆସିଛି । ବନ୍ୟା, ବାତ୍ୟାଠାରୁ ଆରମ୍ଭ କରି କୋଭିଡ ପରିଚାଳନାରେ ମଧ୍ୟ ସଫଳ ହୋଇଛି ଓଡିଶା । ବିଶେଷ କରି ରୋଲ ମଡେଲ ପାଲଟିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ପ୍ରସ୍ତୁତି ବୈଠକ, ଗ୍ରାମାଂଚଳରୁ ସଠିକ ପରିଚାଳନା ଏବଂ ବିପର୍ଯ୍ୟୟ ପରେ ପୁନରୁଦ୍ଧାର କାମ କିଭଳି କରାଯାଉଛି ସେନେଇ ପ୍ରଶିକ୍ଷଣ ନେଇଛନ୍ତି ଆନ୍ଧ୍ରରୁ ଆସିଥିବା ଟିମ୍ ।

ଛତ୍ରପୁର ସ୍ଥିତ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିଛନ୍ତି ଆନ୍ଧ୍ରରୁ ଆସିଥିବା ଟିମ୍ । ୨ ଦିନିଆ ଗସ୍ତରେ ଆସିଥିବା ଆନ୍ଧ୍ର ଅଧିକାରୀଙ୍କ ଏହି ୪ ଜଣିଆ ଟିମରେ ଅଛନ୍ତି ଆନ୍ଧ୍ର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ ବି.ଆର. ଆମ୍ବେଦକର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସି. ନାଗରାଜୁ, ବୈଜ୍ଞାନିକ ଏମ.ଏମ. ଅଲ୍ଲୀ ଓ ପ୍ରକଳ୍ପ ନିର୍ଦ୍ଦେଶକ ବି. ପ୍ରସାଦ । ଆନ୍ଧ୍ରର ଏହି ଅଧିକାରୀମାନଙ୍କୁ ଓଡିଶା ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ବାବଦରେ ଅବଗତ କରାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ପ୍ରାକୃତିକ ବିପର୍ଯ୍ୟୟରେ କିଭଳି ଜଣଙ୍କର ବି ଜୀବନହାନୀ ହେବନାହିଁ ତାକୁ ଲକ୍ଷ୍ୟରେ ରଖି କାମ କରେ ପ୍ରଶାସନିକ କଳ । ତିତଲି, ଫନି, ହୁଡହୁଡ ଆଦି ବାତ୍ୟା ଦେଖିଛନ୍ତି ଗଞ୍ଜାମବାସୀ । ବିଶେଷ କରି ଚିକିିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ଓ ଖଲିକୋଟରେ ବାତ୍ୟା କିମ୍ବା ବନ୍ୟା ଆସିଲେ ସମୁଦ୍ରକୂଳିଆ ଅଞ୍ଚଳରେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିଭଳି ପ୍ରାଥମିକତା ଦେଇ ସ୍ଥାନାନ୍ତର କରାଯାଏ ସେନେଇ ପଚାରି ବୁଝିଛନ୍ତି ଆନ୍ଧ୍ର ପ୍ରତିନିଧି ।