ମୁମ୍ବାଇରେ ରେଷ୍ଟୁରାଣ୍ଡରେ ଭୟଙ୍କର ନିଆଁ । ୧୫ ଜଣ ଜୀବନ୍ତ ଦଗ୍ଧ । ଅନେକ ଆହତ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

43

କନକ ବ୍ୟୁରୋ : ମୁମ୍ବାଇର ଲୋୟର ପରେଲ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ । କମଲା ମିଲସରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେଜଣକ ଅବସ୍ଥା ଗୁରୁତର ରହିଛି । କମଲା ମିଲ୍ସ କଂପାଉଣ୍ଡ ସ୍ଥିତ ରେଷ୍ଟୋବାରରେ ନିଆଁ ଲାଗିଛି । ରାତି ୧୨ଟା ପାଖାପାଖି ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ କରିବା ସମ୍ଭବପର ନଥିଲା । ନିଆଁକୁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥିଲା ।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ରାତି ପ୍ରାୟ ସାଢ଼େ ବାରଟା ବେଳେ ସେନାପତି ବାପତ ମାର୍ଗରେ ଅବସ୍ଥିତ ୬ ତାଲା କୋଠାର ତୃତୀୟ ମହଲାରେ ନିଆଁ ଲାଗିଥିଲା। ସେ କୋଠା ପରିସରରେ ଥିବା ପବଗୁଡ଼ିକ ମଧ୍ୟରୁ ଗୋଟିକରେ ବିଜୁଳି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କଥା ଶୁଣିବାକୁ ମିଳୁଛି। ଶିଳ୍ପ ପରିସର କମଳା ମିଲସରେ କେତେଗୁଡ଼ିଏ ବିଳାସପୂର୍ଣ୍ଣ ରେସ୍ତୋରାଁ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି।

ପୁଲିସ କହିବା ଅନୁସାରେ, ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା। ସେ କୋଠାର ଏକ ରୁଫଟପ୍ ରେସ୍ତୋରାଁରେ ଚାଲିଥିବା ପାର୍ଟିରେ ଏହି ମହିଳାମାନେ ଯୋଗ ଦେଇଥିଲେ।ନିଆଁ ଲାଗିବାର ଅଧଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଅଟ୍ଟାଳିକା ମଧ୍ୟକୁ ତାହା ଚରି ଯାଇଥିଲା। ଦମକଳ ସମେତ ଉଦ୍ଧାର କାର୍ୟ୍ୟ ପାଇଁ ଅନ୍ୟୂନ ୨୪ଟି ଗାଡ଼ି ଘଟଣାସ୍ଥଳରେ ମହଜୁଦ ଥିଲା।

ଅଘଟଣରେ ଆହତ ୨୫ ଜଣଙ୍କୁ ମୁମ୍ବାଇସ୍ଥିତ କେଇଏମ ହସପିଟାଲକୁ ନିଆ ଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଦେହାନ୍ତ ହୋଇଯାଇଥିଲା। ବାକି ଆହତମାନଙ୍କୁ ମଧ୍ୟରୁ ୯ ଜଣଙ୍କର ଭାଟିଆ ହସପିଟାଲରେ ଚିକିତ୍ସା କରାଯାଉଛି