ଚାଷୀଙ୍କ ଖାତାରୁ କଟିବନି ‘କାଳିଆ’ ଟଙ୍କା । ଋଣ କିସ୍ତି ଓ ଅନ୍ୟ ବାବଦରେ ଟଙ୍କା ନକାଟିବାକୁ ବ୍ୟାଙ୍କଗୁଡିକୁ ସରକାରଙ୍କ ତାଗିଦ

445

କନକ ବ୍ୟୁରୋ :ଚାଷୀ  ଆକାଉଂଟକୁ କାଳିଆ ଟଙ୍କା ନକାଟିବାକୁ ବ୍ୟାଙ୍କ ଗୁଡିକୁ ତାଗିଦ କଲେ ସରକାର । କୌଣସି ଋଣ ବାକିସ୍ତି ବାବଦକୁ କୃଷକଙ୍କ ବ୍ୟାଙ୍କ ଆକାଉଂଟକୁ ଆସିଥିବା  କାଳିଆ ଟଙ୍କାରୁ ନକାଟିବାକୁ  ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ଆଜି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ତେବେ ଚାଷୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କାଳିଆ ଯୋଜନା କାର‌୍ୟ୍ୟକାରୀ କରିଛନ୍ତି । ଅଥଚ ପ୍ରଥମ ପର‌୍ୟ୍ୟାୟରେ ହିତାଧିକାରୀଙ୍କ ଜମା ଖାତାକୁ ଯାଇଥିବା ଟଙ୍କାକୁ କେତେକ ବ୍ୟାଙ୍କ ଋଣ କିସ୍ତି ଓ ଅନ୍ୟ ବାବଦରେ ଚାଷୀଙ୍କ ଆକାଉଣ୍ଟରୁ କାଟି ଦେଇଛନ୍ତି ।

ଏ କଥା ଜଣାପଡ଼ିବା ପରେ କୃଷି ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଏ ନେଇ ଗତମାସ ୩୦ ତାରିଖରେ ରିଜର୍ଭ ବ୍ୟାଙ୍କ ସମେତ ୧୪ଟି ରାଷ୍ଟ୍ରାୟତ ଓ ରାଜ୍ୟ ସମବାୟ ବ୍ୟାଙ୍କକୁ ଚିଠି ଲେଖି ତୁରନ୍ତ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଡାକିଥିଲେ ।

ନାବାର୍ଡ଼, ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆଲହାବାଦ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଓ ରାଜ୍ୟ ସମବାୟ ବ୍ୟାଙ୍କକୁ ଚିଠି ଲେଖାଯାଇଥିଲା । ଗୁରୁବାର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ କାଳିଆ ସହାୟତା ବାବଦ ଟଙ୍କା କୌଣସି ପ୍ରକାରେ ଚାଷୀଙ୍କ ଆକାଉଣ୍ଟରୁ ନକାଟିବାକୁ ବ୍ୟାଙ୍କମାନଙ୍କୁ କହିଥିଲେ ।