ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ଫି’ ଛାଡ଼ ! ବିଜ୍ଞପ୍ତି ଜାରି କଲା ଉଚ୍ଚଶିକ୍ଷା ବିଭାଗ 

23

କନକ ବ୍ୟୁରୋ: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେଉନି । ବାରମ୍ବାର ଚିଠି ଲେଖିବା ପରେ ବି ଏଦିଗରେ ପଦକ୍ଷେପ ନିଆଯାଉଥିବାରୁ ଏବେ ଚିନ୍ତା ପ୍ରକଟ କରିଛି ଉଚ୍ଚଶିକ୍ଷା ବିଭାଗ । ସରକାରଙ୍କ ପକ୍ଷରୁ କରାଯାଉଥିବା ଯୋଜନାଗୁଡ଼ିକ ଯେପରି ଦିବ୍ୟାଙ୍ଗକୁ ମିଳିବ ତାହା ଉପରେ ଗୁରୁତ୍ୱ ଦେଇଛି ବିଭାଗ । ଏ ନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ ।

ବିଜ୍ଞପ୍ତି ଅନୁଯାୟୀ, ସରକାରୀ ସମେତ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଲାଗି ଥିବା ସୁବିଧା ସୁଯୋଗକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି । ୪୦% କିମ୍ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଥିବା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’କୁ ଛାଡ଼ି ସମସ୍ତ ଫି’ ଛାଡ଼ କରିବାକୁ କୁହାଯାଇଛି । ସମସ୍ତ ପରୀକ୍ଷା ସମୟରେ ଏହି ବର୍ଗର ପିଲାଙ୍କ ଲାଗି ସ୍କ୍ରାଇବ୍, ରିଡର ଏବଂ ଲ୍ୟାବ୍ ଆସିଷ୍ଟାଣ୍ଟ ଯୋଗାଇ ଦେବାକୁ କୁହାଯାଇଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗାଇଡଲାଇନ୍ ଅନୁଯାୟୀ ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜରେ ଇକ୍ୟୁଆଲ୍ ଅପରଚ୍ୟୁନିଟି ସେଲ୍(ଇଓସି) ଗଠନ କରିବା ବାଧ୍ୟତାମୂଳକ । ତେଣୁ ଇଓସି ଗଠନ କରି ଏସଟି/ଏସସି, ଛାତ୍ରୀ ଏବଂ ଦିବ୍ୟାଙ୍ଗକୁ ସମାନ ସୁଯୋଗ ଯୋଗାଇ ଦେବାକୁ ବିଜ୍ଞପ୍ତିରେ କୁହାଯାଇଛି ।